Puri Cyclone Preparations:ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୁରୀରେ ପ୍ରଶାସନର ପ୍ରସ୍ତୁତି
ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ନେଇ ପୁରୀରେ ସତର୍କ ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଏବଂ ଜନଜୀବନର ସୁରକ୍ଷା ପାଇଁ ପହଞ୍ଚିଛି NDRF ଟିମ୍। ତଳିଆ ଅଞ୍ଚଳ ସହ ଦୁର୍ବଳ ବର୍ଗଙ୍କ ସୁରକ୍ଷା ଉପରେ ରହିଛି ସ୍ୱତନ୍ତ୍ର ନଜର।
ପୁରୀ:ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ପୁରୀରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ। ବାତ୍ୟା ଅର୍ଣ୍ଣବ କାକିନାଡ଼ାରେ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ସହ ଧନଜୀବନର ସୁରକ୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୁରୀରେ ପହଞ୍ଚିଛି NDRF ଟିମ୍। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ବାତ୍ୟା ପ୍ରଭାବିତ ହେବାର ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକର ସ୍ଥିତି, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ପଦକ୍ଷେପକୁ ନେଇ ଆଲୋଚନା ଚାଲିଛି। ପରିସ୍ଥିତି ଗମ୍ଭୀର ହେଲେ କିପରି ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯିବ, ସେନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ବିଶେଷ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି।
