Kotpad Relief Preparations:ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ ବିଧାୟକ
ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ଆଶଙ୍କା ମଧ୍ୟରେ ସତର୍କ ରହିଛି ପ୍ରଶାସନ। କୋଟପାଡ଼ ବ୍ଲକର ୭ଟି ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି।
ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବକୁ ନେଇ ଦକ୍ଷିଣ ଓଡ଼ିଶାରେ ସତର୍କତା ଅବଲମ୍ବନ କରାଯାଇଛି। ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ୭ଟି ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି। ସଦରଙ୍ଗା ଆଶ୍ରୟସ୍ଥଳୀରେ ବର୍ତ୍ତମାନ ସୁଦ୍ଧା ୨୫୦ ଜଣଙ୍କୁ ରଖାଯାଇଛି। ଲୋକଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।ସେହିପରି କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ୭୦ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ମା' ଗୃହ, ଡାକ୍ତରଖାନା ଓ କଲ୍ୟାଣ ମଣ୍ଡପରେ ରଖାଯାଇଛି। ବାତ୍ୟା ସମୟରେ ମା' ଓ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ, ଆଜି କୋଟପାଡ଼ ବ୍ଲକର ସଦରଙ୍ଗା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ପୁମା ଟୁଡୁ ଏବଂ ବିଧାୟକ ରୂପୁ ଭାତ୍ର। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଛନ୍ତି।ବାତ୍ୟା ପ୍ରଭାବରେ ବର୍ଷା ଓ ପବନ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଉଛି।
