Raipahad Village:ଓଡ଼ିଶାର ଅବହେଳିତ ଗାଁ ରାଇପାହାଡ଼
କୋଟିଆ ଭଳି ରାଇପାହାଡ଼ରେ ମଧ୍ୟ ଦୁଇ ରାଜ୍ୟର ପ୍ରଭାବ। ଓଡ଼ିଶାର ଗାଁ ହୋଇଥିଲେ ବି ରାସ୍ତା, ପାଣି, ବିଦ୍ୟୁତ୍ ଓ ଶିକ୍ଷା ଭଳି ମୌଳିକ ସୁବିଧା ନେଇ ଉଠିଛି ପ୍ରଶ୍ନ। ଆନ୍ଧ୍ରର ସୁବିଧା ମଧ୍ୟରେ ଓଡ଼ିଶାର ଅବହେଳାକୁ ନେଇ ଅସନ୍ତୋଷ।
କୋରାପୁଟ:କୋଟିଆ ପରେ ଏବେ ଚର୍ଚ୍ଚାରେ କୋରାପୁଟ ଜିଲ୍ଲାର ରାଇପାହାଡ଼ ଗାଁ। ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ଏହି ଗାଁ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛି। ସୀମାନ୍ତରେ ରହୁଥିବା ଏହି ଗାଁର ଲୋକେ କୋଟିଆ ଭଳି ଉଭୟ ରାଜ୍ୟରେ ଭୋଟ ଦେଇ ଆସୁଥିବା କୁହାଯାଉଛି। ହେଲେ କୋଟିଆ ଭଳି ରାଇପାହାଡ଼ର ଲୋକଙ୍କ ପାଖରେ ଓଡ଼ିଶା ସରକାରଙ୍କ ବିକାଶମୂଳକ ସୁବିଧା ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି। ଗାଁରେ ଭଲ ରାସ୍ତା ନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ବିଦ୍ୟାଳୟ ନାହିଁ। ପାନୀୟ ଜଳ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ମଧ୍ୟ ଓଡ଼ିଶା ପକ୍ଷରୁ ମିଳିନଥିବା ଅଭିଯୋଗ ରହିଛି। ଅନ୍ୟପଟେ, ଆନ୍ଧ୍ରପ୍ରଦେଶ ପକ୍ଷରୁ ବିଦ୍ୟୁତ୍ ସଂଯୋଗ, ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଅଙ୍ଗନବାଡ଼ି ସୁବିଧା ମିଳୁଥିବା କୁହାଯାଉଛି। ଏପରିକି ଗାଁର କିଛି ଲୋକଙ୍କ ଭୋଟର ପରିଚୟପତ୍ର ଆନ୍ଧ୍ରପ୍ରଦେଶର ଥିବା ମଧ୍ୟ ସୂଚନା ମିଳିଛି। ଓଡ଼ିଶା ପକ୍ଷରୁ ଗାଁରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଦୋକାନ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ଏହି ଦୋକାନ ଗୃହକୁ ଆସି କିଏ ବ୍ୟବସାୟ କରିବ ଏବଂ ଏହା ଦ୍ୱାରା ଗ୍ରାମବାସୀଙ୍କର କେତେ ଲାଭ ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇନଥିବାବେଳେ ଏଭଳି ନିର୍ମାଣର ଉଦ୍ଦେଶ୍ୟ ଓ ଉପଯୋଗିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସେହିପରି ଆବାସ ଯୋଜନାରେ ନିର୍ମିତ ଘରଗୁଡ଼ିକ ପ୍ରାୟ ଏକ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଘରଗୁଡ଼ିକ କେବଳ ଦେଖାଇବା ପାଇଁ ରହିଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ସୀମାନ୍ତ ଗାଁରେ ବିକାଶ କେବଳ ନିର୍ମାଣ କାମରେ ସୀମିତ ରହିଲେ ଚଳିବ ନାହିଁ। ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ସହ ସରକାରୀ ଯୋଜନାର ପ୍ରକୃତ ଲାଭ ଦେବା ଜରୁରୀ। ନଚେତ୍, ନିଜ ଅଞ୍ଚଳରେ ଅବହେଳିତ ଅନୁଭବ କରୁଥିବା ଲୋକେ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ନିର୍ଭରଶୀଳ ହୋଇପାରନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବା ପାଇଁ ପ୍ରଶାସନକୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ତେଣୁ ରାଇପାହାଡ଼ର ମୌଳିକ ସମସ୍ୟାର ସମାଧାନ ଏବେ ଜରୁରୀ ହୋଇପଡ଼ିଛି।
