Python Rescued:ବାତ୍ୟା ପ୍ରଭାବରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ଅଜଗର
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷା ଓ ପବନ ମଧ୍ୟରେ ମାଲକାନଗିରି ସହର ଉପକଣ୍ଠରେ ଦେଖିବାକୁ ମିଳିଲା ବିଶାଳ ଅଜଗର। ଝାଟିମାଟି କଲୋନିରେ ସାପଟିକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା। ଖବର ପାଇ ତୁରନ୍ତ ଉଦ୍ଧାର କଲା ବନ ବିଭାଗ।
ମାଲକାନଗିରି:ବାତ୍ୟା ଅର୍ଣ୍ଣବ ସମୟରେ ମାଲକାନଗିରିରେ ଜନବସତି ଭିତରୁ ଉଦ୍ଧାର ହେଲା ଏକ ବିଶାଳ ଅଜଗର। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ସୂଚନା ଅନୁସାରେ, ଗତକାଲି ବାତ୍ୟା ଅର୍ଣ୍ଣବର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବର୍ଷା ଓ ପବନ ହୋଇଥିଲା। ଏହି ସମୟରେ ଜଙ୍ଗଲରୁ ଏକ ଅଜଗର ସାପ ମାଲକାନଗିରି ସହର ଉପକଣ୍ଠରେ ଥିବା ଝାଟିମାଟି କଲୋନିକୁ ପଶି ଆସିଥିଲା। କଲୋନି ଭିତରେ ବିଶାଳକାୟ ସାପଟିକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ।ଏହାପରେ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବନ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ଜଣାପଡ଼ିଛି। ବର୍ଷା ଓ ପବନ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ଆଡ଼କୁ ଚାଲି ଆସିବାର ଆଶଙ୍କା ରହିଥାଏ। ତେଣୁ ଏଭଳି ସ୍ଥିତିରେ ସାପ କିମ୍ବା ଅନ୍ୟ ବନ୍ୟଜନ୍ତୁଙ୍କୁ ଦେଖିଲେ ନିଜେ ଧରିବାକୁ ଚେଷ୍ଟା ନକରି ବନ ବିଭାଗକୁ ଖବର ଦେବା ଉଚିତ।
