Solar Fencing: ଭୋକିଲା ବାରହା, ଅନିଦ୍ରା ଚାଷୀ! ଫସଲ ସୁରକ୍ଷାର କବଚ ସାଜିଛି ସୋଲାର ଫେନ୍ସିଂ
କେନ୍ଦୁଝରରେ ବାରହାଙ୍କ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେଉଛି ସୋଲାର ଫେନ୍ସିଂ। ୬୦ କିମି ତାରବାଡ଼ ଓ ନୂନଝରଣ ଗାଁରେ ୯୦% ଚାଷଜମି ସୁରକ୍ଷିତ।
କେନ୍ଦୁଝର: ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ବାର୍ହା। ଚାଷଜମିରେ ପଶି ଖାଇଯାଉଛନ୍ତି ଫସଲ। ଦଳିଚକଟି ନଷ୍ଟ କରୁଛନ୍ତି ଚାଷୀଙ୍କ ବର୍ଷକର ପରିଶ୍ରମ। କେବେ ହାତୀ ତ କେବେ ବାର୍ହାଙ୍କ ଉପଦ୍ରବରେ ଚିନ୍ତାରେ ଚାଷୀ। ଫସଲକୁ ସୁରକ୍ଷା ଦେବା ପାଇଁ ରାତିସାରା ମଞ୍ଚା ଉପରେ ଉଜାଗର ରହିବାକୁ ପଡ଼ୁଛି। ତେବେ ଚାଷୀଙ୍କ ଏହି ଦୁର୍ଦ୍ଦଶାରେ ଆଶାର ଆଲୋକ ସାଜିଛି ସୋଲାର ଫେନ୍ସିଂ। ସନ୍ଧ୍ୟା ନଇଁଲେ ଆରମ୍ଭ ହୋଇଯାଉଛି ଚାଷୀ ଓ ଜଙ୍ଗଲୀ ଜନ୍ତୁଙ୍କ ମଧ୍ୟରେ ଲଢ଼େଇ। ନିଜ ଫସଲକୁ ବଞ୍ଚାଇବା ପାଇଁ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି ଚାଷୀ। ଏହି ସମସ୍ୟାର ସମାଧାନ ପାଇଁ ବନ ବିଭାଗର ସହାୟତାରେ ବିଭିନ୍ନ ଗାଁର ଚାଷଜମି ଚାରିପଟେ ଲଗାଯାଇଛି ସୋଲାର ଚାଳିତ ତାରବାଡ଼। ସୋଲାର ପ୍ୟାନେଲ୍ ଓ ବ୍ୟାଟେରିରୁ ଉତ୍ପନ୍ନ ନିୟନ୍ତ୍ରିତ ବିଦ୍ୟୁତ୍ ଝଟକା ବାର୍ହାଙ୍କୁ ଚାଷଜମି ଭିତରକୁ ପଶିବାରୁ ରୋକୁଛି।
କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ମୋଟ ୬୦ କିଲୋମିଟର ସୋଲାର ଫେନ୍ସିଂ କରାଯାଇଥିବା ଡିଏଫ୍ଓ କହିଛନ୍ତି। ସଦର ରେଞ୍ଜର ନୂନଝରଣ ଗାଁରେ ଗ୍ରାମବାସୀଙ୍କ ଗୋଷ୍ଠୀଗତ ଯତ୍ନ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଚାଷଜମି ବାର୍ହାଙ୍କ ଦାଉରୁ ସୁରକ୍ଷିତ ରହୁଛି। ଏଥିପାଇଁ ସରକାରୀ ସବସିଡି ବ୍ୟବସ୍ଥା ମଧ୍ୟ ରହିଛି। ତେବେ ସୋଲାର ଫେନ୍ସିଂ ବ୍ୟବହାର ବେଳେ ସତର୍କତା ଜରୁରୀ। ସିଧାସଳଖ ବିଦ୍ୟୁତ୍ ଲାଇନରୁ ତାରବାଡ଼କୁ କରେଣ୍ଟ ଦେବା ଅନୁଚିତ। ଏହା ମଣିଷ ଓ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଆଣିପାରେ ବୋଲି ଡିଏଫ୍ଓ ସତର୍କ କରାଇଛନ୍ତି।
