Humayun Kabir Arrested:ହୁମାୟୁନ କବୀର ଗିରଫ:ରେଜିନଗର ଉପ-ନିର୍ବାଚନ ମଧ୍ୟରେ ପୋଲିସର ଆକ୍ସନ
ପଶ୍ଚିମବଙ୍ଗର ମୁର୍ଷିଦାବାଦସ୍ଥିତ ରେଜିନଗର ବିଧାନସଭା ଉପନିର୍ବାଚନ ବେଳେ ପୋଲିସ ଓ ରାଜନେତା ଭିଡ଼ାଭିଡ଼ି | ମତଦାନ ଚାଲିଥିବା ସମୟରେ ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ର ପ୍ରମୁଖ ତଥା ବିଧାୟକ ହୁମାୟୁନ କବୀରଙ୍କୁ ପୁଲିସ ଗିରଫ କରିବା ପରେ ବଡ଼ଧରଣର ରାଜନୈତିକ ଉତ୍ତେଜନା ଦେଖାଦେଇଛି। ହୁମାୟୁନ ପାର୍ଟି କାର୍ଯ୍ୟାଳୟରେ ବସି ହିଂସା ଓ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି ପୋଲିସ | କିନ୍ତୁ ଛାଡ଼ିନାହାନ୍ତି ହୁମାୟୁନ କବୀର,ପାଲଟା ଅଭିଯୋଗ ଆଣିଛନ୍ତି ପୋଲିସ ନାଁରେ | ପରସ୍ପର ବିରୋଧୀ ଅଭିଯୋଗ ଏବଂ ଭୋଟ୍ ଲୁଟ୍ କୁ ନେଇ ରାଜ୍ୟରେ ରାଜନୀତିକ ମାହୋଲ ସରଗରମ ହେଇଉଠିଛି |
ପଶ୍ଚିମବଙ୍ଗ/ମୁର୍ଶିଦାବାଦ:ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ହିଁ, ବିଧାୟକ ତଥା 'ଆମ୍ ଜନତା ଉନ୍ନୟନ ପାର୍ଟି' (AJUP)ର ମୁଖ୍ୟ ହୁମାୟୁନ୍ କବୀରଙ୍କୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଥିବା ନେଇ ଖବର ଆସିଥିଲା। ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଯେତେବେଳେ ରେଜିନଗର ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇସାରିଥିଲା ରେଜିନଗର ପୋଲିସ ତାଙ୍କୁ ଦଳୀୟ କାର୍ଯ୍ୟାଳୟରୁ ଥାନାକୁ ନେଇଯାଇଥିଲା। ସେହି ସକାଳେ, ହୁମାୟୁନ୍ କବୀର ନିଜ ପରିବାର ସଦସ୍ୟଙ୍କ ସହ ଶକ୍ତିପୁରସ୍ଥିତ ନିଜ ଗ୍ରାମର ପୋଲିଂ ବୁଥ୍ରେ ଭୋଟ୍ ଦେଇଥିଲେ। ଭୋଟ୍ ଦେବାର କିଛି ସମୟ ପରେ ହିଁ ସେ ସିଧାସଳଖ ରେଜିନଗରସ୍ଥିତ ନିଜ ଦଳୀୟ କାର୍ଯ୍ୟାଳୟକୁ ଚାଲିଯାଇଥିଲେ।ଏହି ସମୟରେ ହୁମାୟୁନ୍ କବୀର ଏବଂ ଜଣେ ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଜଣେ ପୋଲିସ୍ ଅଧିକାରୀଙ୍କୁ ଅଭିଯୁକ୍ତ କରି ହୁମାୟୁନ୍ କବୀର କହିଲେ, "ଆପଣ ଭୋଟ୍ରେ ଜାଲିଆତି କରୁଛନ୍ତି ଏବଂ ଖୋଲାଖୋଲି ଭାବେ ଦଲାଲ ଭଳି କାମ କରୁଛନ୍ତି।" ଏହା ପରେ ପୋଲିସ୍ ଅଧିକାରୀ ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ତଥାପି, କବୀର ସେଠାରୁ ଯିବାକୁ ମନା କରିଦେଲେ ଏବଂ ବୁଥ୍ରେ ରହିବା ପାଇଁ ଜିଦ୍ ଧରିଲେ। ଏହାକୁ ନେଇ ପୁଲିସ ଅଧିକାରୀ ଓ ବିଧାୟକଙ୍କ ମଧ୍ୟରେ ତୀକ୍ଷ୍ଣ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ତାଙ୍କୁ ବଳପୂର୍ବକ ପୁଲିସ ଭ୍ୟାନରେ ବସାଇ ଥାନାକୁ ଉଠାଇ ନେଇଥିଲା। ପୋଲିସ୍ ଗାଡ଼ିରେ ବସିବା ସମୟରେ ଗିରଫ ହେବା ସମୟରେ ହୁମାୟୁନ କବୀର ପୁଲିସ ଉପରେ ବର୍ଷି ପଡ଼ିଥିଲେ। ସେ ଅଭିଯୋଗ କରି କହିଥିଲେ ଯେ, "ମୋତେ ଗିରଫ କରାଯାଉଛି ନା ହେପାଜତକୁ ନିଆଯାଉଛି, ତାହା ମୁଁ ଜାଣେନା।"
ଅନ୍ୟପକ୍ଷରେ, ତାଙ୍କ ଦଳ ଏବଂ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି ଯେ ରେଜିନଗରର ଅନେକ ବୁଥରେ ସେମାନଙ୍କର ପୋଲିଂ ଏଜେଣ୍ଟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ ଏବଂ ସେମାନଙ୍କୁ ବାହାରେ ଅଟକାଯାଉଛି।ଏହି ଘଟଣା ପରେ ସମଗ୍ର ରେଜିନଗର ଅଞ୍ଚଳରେ ଉତ୍ତେଜନାର ବାତାବରଣ ଖେଳିଯାଇଛି। ଉପନିର୍ବାଚନ ମଧ୍ୟରେ ଜଣେ ଜଣାଶୁଣା ବିଧାୟକଙ୍କ ଏପରି ଗିରଫଦାରୀ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଜଟିଳ କରିଛି ଏବଂ ବିରୋଧୀ ଦଳଗୁଡ଼ିକ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
