ନିଶା କାରବାର ବିରୋଧରେ ଐତିହାସିକ ଅଭିଯାନ: ଓଡ଼ିଶା ପୋଲିସର ବଡ଼ ସଫଳତା
ବେଆଇନ ନିଶା କାରବାର, ଗଞ୍ଜେଇ ଚାଷ, ମାଦକଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ଡ୍ରଗ୍ ନେଟୱାର୍କ ବିରୋଧରେ 'ଶୂନ୍ୟ ସହନଶୀଳତା (Zero Tolerance)' ନୀତି ଆଧାରରେ ଚାଲିଥିବା ନିରନ୍ତର ଅଭିଯାନ ରାଜ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ।

ଭୁବନେଶ୍ୱର: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବେଆଇନ ନିଶା କାରବାର, ଗଞ୍ଜେଇ ଚାଷ, ମାଦକଦ୍ରବ୍ୟ ଚୋରାଚାଲାଣ ଓ ଆନ୍ତଃରାଜ୍ୟ ଡ୍ରଗ୍ ନେଟୱାର୍କ ବିରୋଧରେ 'ଶୂନ୍ୟ ସହନଶୀଳତା' ନୀତି ଆଧାରରେ ଚାଲିଥିବା ଅଭିଯାନ ରାଜ୍ୟକୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ନିର୍ଦ୍ଦେଶ ଅନୁଯାୟୀ ଜୁନ୍ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ National Level Pre-Trial Drug Destruction Special Drive ସାରା ଦେଶରେ ଚାଲିଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ୍-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, "ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା। ଆଗାମୀ ଦିନରେ ନିଶା କାରବାର ଓ ଚୋରାଚାଲାଣ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରାଯିବ ଏବଂ ଅପରାଧୀଙ୍କ ପ୍ରତି କୌଣସି କୋହଳ ମନୋଭାବ ଦେଖାଯିବ ନାହିଁ।" ସେ ସୂଚନା ଦେଇଥିଲେ ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ଚଢ଼ାଉରେ ପ୍ରାୟ ୧,୯୧୧ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି ୨,୧୦୬ କୋଟି ଟଙ୍କାର ଗଞ୍ଜେଇ ଓ ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରାଯାଇଛି। ଏହି ସମୟରେ ୨,୪୪୫ଟି ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବା ବେଳେ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଚକ୍ରରେ କେରଳ ସମେତ ବିଭିନ୍ନ ରାଜ୍ୟର ଆନ୍ତଃରାଜ୍ୟ ଡ୍ରଗ୍ ମାଫିଆଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଡିଜିପି କହିଛନ୍ତି, ନିଶା କାରବାର ସମ୍ପର୍କିତ ମାମଲାର ଶୀଘ୍ର ବିଚାର ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ସେହିପରି ଜଣେ ଏଡିଜିପିଙ୍କ ନେତୃତ୍ୱରେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ଗଠନ କରାଯିବ। ଏହା ଅଧୀନରେ ୧୦ଟି ୟୁନିଟ୍ ଓ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ। ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ସହ ଆର୍ଥିକ ତଦନ୍ତ କରାଯିବ। ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ନିଶାବିରୋଧୀ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୨୫ ହଜାରରୁ ଅଧିକ ନାଗରିକ, ୪,୮୮୨ ଜଣ ଛାତ୍ରଛାତ୍ରୀ ଏବଂ ୩୩୭ ଜଣ ଶିକ୍ଷକ ସାମିଲ ହୋଇ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇଥିଲେ। ଏହାବ୍ୟତୀତ ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ର ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ (ଆନୁମାନିକ ବଜାର ମୂଲ୍ୟ ୪୧୦ କୋଟି ଟଙ୍କା) ବିନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି। ଅଭିଯାନ ଆରମ୍ଭ ହେବା ପରଠାରୁ ୩୬ ଟନ୍ ଗଞ୍ଜେଇ ସଫଳତାର ସହ ବିନଷ୍ଟ କରାଯାଇଥିବା ବେଳେ ଅବଶିଷ୍ଟ ମାଦକଦ୍ରବ୍ୟକୁ ଆଇନଗତ ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ଧ୍ୱଂସ କରାଯିବ ବୋଲି ଡିଜିପି କହିଛନ୍ତି।
