Himashree Boro death case:ହିମାଶ୍ରୀ ବୋରୋ ମୃତ୍ୟୁ ମାମଲା
ଆସାମର ହିମାଶ୍ରୀ ବୋରୋଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଭିଡିଓ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ରେଳ ପ୍ଲାଟଫର୍ମରେ ଚାଲୁଥିବା ଓ ଟ୍ରେନ୍ରେ ଚଢ଼ୁଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି | ତାଙ୍କ ଆଖପାଖର ପୁରୁଷ ମାନଙ୍କୁ ନେଇ ଭୟଭୀତ ଅଛନ୍ତି ବୋଲି ହିମାଶ୍ରୀ ଫୋନରେ ଘରକୁ ଜଣାଇଥିଲେ ,ଏବେ ସିସିଟିଭି ଫୁଟେଜରେ ଜଣେ ଯୁବକ ତାଙ୍କସହ କଥାହେବାକୁ ଚେଷ୍ଟା କରିବା ଦୃଶ୍ୟ ତଦନ୍ତର ଗୁରୁତ୍ୱପୂର୍ଣ୍ଣ କଡ଼ି ପାଲଟିଛି।
ଆସାମ:ଆସାମର ହିମାଶ୍ରୀ ବୋରୋଙ୍କ ମୃତ୍ୟୁକୁ ନେଇ ଚାଲିଥିବା ତଦନ୍ତ ମଧ୍ୟରେ ତାଙ୍କର ନୂଆ CCTV ଫୁଟେଜ୍ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ରେଳଧାରଣା କଡ଼ରୁ ତାଙ୍କ ମୃତଦେହ ମିଳିବାର କିଛି ସମୟ ପୂର୍ବରୁ ସେ ଏକ ରେଳ ପ୍ଲାଟଫର୍ମରେ ଚାଲୁଥିବା ଓ ଟ୍ରେନ୍ରେ ଚଢ଼ୁଥିବାର ଦୃଶ୍ୟ ସିସିଟିଭି ରେ ରେକର୍ଡ ହୋଇଛି । CCTV ଦୃଶ୍ୟରେ ହିମାଶ୍ରୀ ପ୍ଲାଟଫର୍ମରେ ଚାଲୁଥିବା ଏବଂ ଟ୍ରେନ୍ ଚାଲିବା ଆରମ୍ଭ କରିବା ପରେ ଅନ୍ୟ ଯାତ୍ରୀଙ୍କ ସହ ଟ୍ରେନ୍ରେ ଚଢିବା ଦେଖାଯାଉଛି। ତେବେ ସେ ପ୍ଲାଟଫର୍ମରେ ଚାଲୁଥିବାବେଳେ ଜଣେ ଅଜଣା ଯୁବକ ତାଙ୍କ ନିକଟକୁ ଆସି କଥା ହେବାକୁ ଚେଷ୍ଟା କରୁଥିବା ଏବଂ ତାଙ୍କ ସହ ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି | ମାତ୍ର ସେ ପରେ ଓହ୍ଲାଇ ପଡ଼ିଥିବା ଜଣାପଡ଼ିଛି।ଏହାସହ ଆଉ ଏକ ଛୋଟ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓଟି ହିମାଶ୍ରୀ ଯାତ୍ରା ସମୟରେ ରେକର୍ଡ କରି ଜଣେ ବନ୍ଧୁଙ୍କୁ ପଠାଇଥିବା କୁହାଯାଉଛି। ଭିଡିଓରେ ସେ ଟ୍ରେନ୍ର ଆଇଲ୍ରେ ଠିଆ ହୋଇଥିବା ବେଳେ ତାଙ୍କ ଚାରିପାଖରେ କିଛି ଯୁବକ ଦେଖାଯାଉଛନ୍ତି। ତେବେ ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ ହୋଇଥିଲା ଏବଂ ସେଠାରେ ଥିବା ବ୍ୟକ୍ତିମାନେ କିଏ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗୁଆହାଟୀ ଉପକଣ୍ଠ ନାରେଙ୍ଗିର ବୋଣ୍ଡା ନିକଟ ଚାପାଇଡଙ୍ଗର ବାସିନ୍ଦା ହିମାଶ୍ରୀ ସେପ୍ଟେମ୍ବର ୩୦ରେ ଏକ ଆସାମୀ ନୃତ୍ୟ ଦଳ ସହ ବିଶାଖାପାଟଣା ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ୍ରେ ଏକା ଗୁଆହାଟୀ ଫେରୁଥିଲେ। ଯାତ୍ରା ସମୟରେ ପରିବାର ଲୋକେ ତାଙ୍କସହ ଫୋନ ଯୋଗେ ସମ୍ପର୍କରେ ଥିବାବେଳେ, ଅକ୍ଟୋବର ୬ ଦିନ ପ୍ରାୟ ୧ଟା ୩୦ରେ ପରିବାର ସହ ଶେଷଥର କଥା ହେବା ପରେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ହିମାଶ୍ରୀ ନିଖୋଜ ହେବା ଜଣାପଡ଼ିବା ପରେ ପରିବାର ଟ୍ରେନ୍ର S2 କୋଚ୍ରେ ଖୋଜାଖୋଜି କରିଥିଲେ ଏବଂ ହିମାଶ୍ରୀଙ୍କ ଦୁଇଟି ବ୍ୟାଗ୍ ଓ ଦଲିଲ ପାଇଥିଲେ। ସେହି କୋଚ୍ର କିଛି ଯୁବକ ତାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରିଥିବା ନେଇ ପରିବାର ଅଭିଯୋଗ କରିଛି। ତେବେ ଏହାର ସ୍ୱାଧୀନ ଯାଞ୍ଚ ହୋଇନାହିଁ।ପରିବାର RPF ଓ ପାଣିଖାଇତି ପୁଲିସକୁ ଜଣାଇବା ପରେ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲିପୁରମ ନିକଟ ରେଳଧାରଣା କଡ଼ରୁ ହିମାଶ୍ରୀଙ୍କ ମୃତଦେହ ମିଳିଥିଲା। ଯାତ୍ରା ସମୟର CCTV ଫୁଟେଜ୍ ସାମ୍ନାକୁ ଆସିବା ତଦନ୍ତକାରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇପାରେ, ତେବେ ଘଟଣାକୁ ନେଇ ଏବେ ବି ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ। ତାଙ୍କ ମୃତ୍ୟୁର କାରଣ, ଟ୍ରେନ୍ରୁ ସେ କିପରି ଓହ୍ଲାଇଲେ ଏବଂ ଅନ୍ୟ କେହି ସମ୍ପୃକ୍ତ ଥିଲେ କି ନାହିଁ,ତାହା ନେଇ ତଦନ୍ତ ଜାରି ରହିଛି।
