ଲଗାଣ ବର୍ଷାରେ ବେହାଲ କେନ୍ଦୁଝର, ବିଭିନ୍ନ ଅଞ୍ଚଳ ଜଳମଗ୍ନ
ଲଗାଣ ବର୍ଷାରେ ଯୋଗୁଁ କେନ୍ଦୁଝରରେ ଜନଜୀବନ ଅସ୍ତବ୍ୟସ୍ତ। ରାସ୍ତା ଉପରେ ପାଣି ଜମି ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି। ଭାଙ୍ଗିଲା ଶିଶୁ ଭବନର ୫୦ ଫୁଟ୍ ପାଚେରୀ। ସୁରକ୍ଷାକୁ ନେଇ ଵଢିଲା ଅନ୍ତେବାସୀଙ୍କ ଚିନ୍ତା।
କେନ୍ଦୁଝର: ଗତ କିଛି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ବିଭିନ୍ନ ରାସ୍ତା ଉପରେ ପାଣି ଜମି ରହିଥିବା ବେଳେ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରବାସୀ ଓ ବ୍ୟବସାୟୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ପରେ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡର ସାହି, ବସ୍ତି ଓ କଲୋନୀରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି। ଭାଲକିପାତଳା, କୁଲାଡେରା ମାର୍ଗ, ସ୍ପଞ୍ଜ କଲୋନୀ, ବଳଦେବଜୀଉ କଲୋନୀ, ଇନକମଟ୍ୟାକ୍ସ ଅଫିସ ଗଳି ଓ ଜେଲ ରୋଡ୍ ଭଳି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। କେତେକ ସ୍ଥାନରେ ବର୍ଷା ପାଣି ଘର ଓ ଦୋକାନ ଭିତରକୁ ପଶିଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ଦୋକାନୀମାନେ ମଧ୍ୟ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ଆଜି ସକାଳୁ କେନ୍ଦୁଝର ସହରର ମନୋଜ ମଞ୍ଜରୀ ଶିଶୁ ଭବନର ପ୍ରାୟ ୫୦ ଫୁଟ୍ ପାଚେରୀ ଭାଙ୍ଗି ପଡ଼ିଛି। ପାଚେରୀ ଭାଙ୍ଗିବା ଫଳରେ ଶିଶୁ ଭବନରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏହା ସହ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେପଟେ ଜଳବନ୍ଦୀ ସମସ୍ୟାକୁ ନେଇ କେନ୍ଦୁଝର ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୌରପାଳିକାର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ୯ ନମ୍ବର ୱାର୍ଡରେ ୱାଟର ଲଗିଂ ସମସ୍ୟା ରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଏବଂ ସୋରେଜ୍ ସିଷ୍ଟମ୍ ପାଇଁ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ପାଇଁ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ଲଗାଇ ଜମିଥିବା ପାଣି ନିଷ୍କାସନ କରାଯାଉଛି। ସହରର ଅନ୍ୟାନ୍ୟ ଅଞ୍ଚଳର ଜଳବନ୍ଦୀ ସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଥିବା ଅଧିକାରୀ କହିଛନ୍ତି।
