HC Restores Judge Job:ଅଟିଜିମ ପୀଡ଼ିତ ପୁଅ ପାଇଁ ଛାଡ଼ିଥିଲେ- ଚାକିରୀ ଫେରିପାଇଲେ ବିଚାରପତି
ଆବେଦନକାରୀଙ୍କୁ ପୁନଃ ନିଯୁକ୍ତି ଲାଗି ବି ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଜଷ୍ଟିସ ମହାନ୍ତି ଯେତିକି ସମୟ ଚାକିରୀରେ ନଥିଲେ, ସେତକ ସମୟର କୌଣସି ଦରମା ପାଇବେନି। କିନ୍ତୁ ଚାକିରୀ ସମୟର ଅବଧିକୁ ପେନସନ ଓ ପଦୋନ୍ନତି ଲାଗି ସ୍ୱୀକାର କରାଯାଇପାରିବ। ଆବେଦନକାରୀ ଇସ୍ତଫା ପତ୍ର ଫେରାଇ ନେଇଥିବା କଥା ବାବଦରେ ରାଜ୍ୟପାଳ ଓ ରାଜ୍ୟ ସରକାର ଅବଗତ ନଥିଲେ

ଅଟିଜିମ ସମସ୍ୟାରେ ପୀଡିତ ପୁଅର ଚିକିତ୍ସା ପାଇଁ ବିଚାରପତି ମାଆ ଚାକିରୀରୁ ଦେଇଥିଲେ ଇସ୍ତଫା। ହେଲେ ପରେ ନିଜ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ତାଙ୍କୁ ସର୍ଭିସରୁ ରିଲିଭ୍ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍ କରି ମହିଳା ବିଚାରପତି ଜଷ୍ଟିସ ଇପସିତା ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ସେ ଆଦେଶକୁ ରଦ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହ ଆବେଦନକାରୀଙ୍କୁ ପୁନଃ ନିଯୁକ୍ତି ଲାଗି ବି ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଜଷ୍ଟିସ ମହାନ୍ତି ଯେତିକି ସମୟ ଚାକିରୀରେ ନଥିଲେ, ସେତକ ସମୟର କୌଣସି ଦରମା ପାଇବେନି। କିନ୍ତୁ ଚାକିରୀ ସମୟର ଅବଧିକୁ ପେନସନ ଓ ପଦୋନ୍ନତି ଲାଗି ସ୍ୱୀକାର କରାଯାଇପାରିବ। ଆବେଦନକାରୀ ଇପସିତା ମହାନ୍ତି ୨୦୨୨ ଜୁଲାଇରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ଅତିରିକ୍ତ ସିଭିଲ ଜଜ (ଜୁନିୟର ଡିଭିଜନ) ତଥା ସବଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଏମ) ପଦକୁ ବଦଳି ହୋଇଥିଲେ। ଅଟିଜିମରେ ପୀଡ଼ିତ ପୁଅର ଅଧିକ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରରେ ରହିବାକୁ ଦିଆଯାଉ ବୋଲି ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଆବେଦନକୁ ୨୦୨୨ ଅକ୍ଟୋବରରେ ଷ୍ଟାଣ୍ଡିଂ କମିଟି ଦ୍ୱାରା ବିଚାର କରିବାକୁ ଗ୍ରହଣ କରାଯାଇଥିଲା। କିନ୍ତୁ କମିଟି କଅଣ ନିଷ୍ପତ୍ତି ନେଲା, ସେ ବାବଦରେ ତାଙ୍କୁ ଅବଗତ କରାଗଲାନି। ସେଥିଲାଗି ନଭେମ୍ୱର ୨୯, ୨୦୨୨ରେ ସେ ଚାକିରୀରୁ ଇସ୍ତଫା ଦେଇଥିଲେ। ଡିସେମ୍ୱର ୨୦,୨୦୨୨ରେ ହାଇକୋର୍ଟର ଫୁଲ କୋର୍ଟ ତାଙ୍କ ଇସ୍ତଫାକୁ ସ୍ୱୀକାର କରି ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଇ ଦେଇଥିଲା। କିନ୍ତୁ ଆବେଦନକାରୀ ଠିକ୍ ଏହାର ପରଦିନ ଅର୍ଥାତ୍ ଡିସେମ୍ୱର ୨୧ରେ ନିଜ ଇସ୍ତଫା ପତ୍ର ଫେରାଇନେଲେ। ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାରକୁ ବି ହାଇକୋର୍ଟ ଗ୍ରହଣ କରିନେଇଥିଲେ। କିନ୍ତୁ ହାଇକୋର୍ଟଙ୍କର ଫୁଲ୍ ବେଞ୍ଚର ନିର୍ଣ୍ଣୟକୁ ରାଜ୍ୟପାଳଙ୍କ ଅନୁମୋଦନ ପୂର୍ବରୁ ଆବେଦନକାରୀ ଇସ୍ତଫା ପତ୍ର ଫେରାଇ ନେଇଥିବା କଥା ବାବଦରେ ରାଜ୍ୟପାଳ ଓ ରାଜ୍ୟ ସରକାର ଅବଗତ ନଥିଲେ। ସେଥିଲାଗି ଜାନୁଆରୀ ୨, ୨୦୨୩ରେ ସରକାର ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ଜାନୁଆରୀ ୩ରେ ଚାକିରୀରୁ ରିଲିଭ କରିଦେଲେ। ହାଇକୋର୍ଟଙ୍କ ଅନୁସାରେ ଆବେଦନକାରୀ ସଠିକ୍ ସମୟରେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିଲେ। ସେଥିଲାଗି ଆଇନଗତ ଦୃଷ୍ଟିକୋଣରୁ ତାଙ୍କ ଇସ୍ତଫା ଗ୍ରହଣଯୋଗ୍ୟ ନୁହେଁ। ଆବେଦନକାରୀ କୌଣସି ବି ତୃଟି କରିନାହାନ୍ତି।
