Hanuman Ansh Block Buster:ଫ୍ଲପ୍ ଆଶଙ୍କାରୁ ବ୍ଲକବଷ୍ଟର: ‘ହନୁମାନ ଅଂଶ’ର ଅଲୌକିକ କ୍ରେଜ୍
ମାତ୍ର ୨ କୋଟି ଟଙ୍କା ବଜେଟ୍ରେ ନିର୍ମିତ ‘ହନୁମାନ ଅଂଶ’ ଫିଲ୍ମ ବକ୍ସ ଅଫିସ୍ରେ ଅପ୍ରତ୍ୟାଶିତ ସଫଳତା ପାଇଛି। ମାତ୍ର ୨୫ଟି ସ୍କ୍ରିନ୍ରେ ଦୁର୍ବଳ ଓପନିଂ କରିଥିବା ଏହି ନୀମ କରୋଲି ବାବାଙ୍କ ଜୀବନ ଆଧାରିତ ଫିଲ୍ମ ତୃତୀୟ ସପ୍ତାହରୁ ଜବରଦସ୍ତ ଗତି ଧରିଥିଲା। ୩୧ ଦିନରେ ଏହାର ଭାରତୀୟ ନେଟ୍ କଲେକ୍ସନ ୧୨୨.୧୩ କୋଟି ଟଙ୍କାରେ ପହଞ୍ଚିଛି।
ମୁମ୍ବାଇ: ବଲିଉଡ୍ରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ‘ହନୁମାନ ଅଂଶ’। ବଡ଼ ଷ୍ଟାର୍କାଷ୍ଟ ନାହିଁ, କୋଟି କୋଟି ଟଙ୍କାର ପ୍ରଚାର ନାହିଁ, ବଡ଼ ବଜେଟ୍ର VFX ନାହିଁ—ତଥାପି ବକ୍ସ ଅଫିସ୍ରେ ଚମତ୍କାର କରୁଛି ଏହି ଭକ୍ତିମୟ ଫିଲ୍ମ। ନୀମ କରୋଲି ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ଦର୍ଶନ ଉପରେ ଆଧାରିତ ବିଶାଳ ଚତୁର୍ବେଦୀଙ୍କ ଏହି ଫିଲ୍ମ ମାତ୍ର ୨ କୋଟିରୁ କମ୍ ବଜେଟ୍ରେ ନିର୍ମିତ ହୋଇଥିବା ବେଳେ ଏବେ ୧୦୦ କୋଟିର କ୍ଲବ୍ ପାର୍ କରିଛି। ଅଗଷ୍ଟ ୭ରେ ମାତ୍ର ୨୫ଟି ସ୍କ୍ରିନ୍ରେ ରିଲିଜ୍ ହୋଇଥିବା ‘ହନୁମାନ ଅଂଶ’ ପ୍ରଥମ ଦିନରେ ପ୍ରାୟ ୧୦ ଲକ୍ଷ ଟଙ୍କାର କଲେକ୍ସନ କରିଥିଲା। ପ୍ରଥମ ଦୁଇ ସପ୍ତାହରେ ମଧ୍ୟ ଫିଲ୍ମର ବ୍ୟବସାୟ ଖୁବ୍ କମ୍ ଥିଲା। କିନ୍ତୁ ତୃତୀୟ ସପ୍ତାହରୁ ଦର୍ଶକଙ୍କ ମୁହଁରୁ ମୁହଁକୁ ପ୍ରଚାର ଏହାର ଭାଗ୍ୟ ବଦଳାଇ ଦେଇଥିଲା। ଧୀରେ ଧୀରେ ଦର୍ଶକ ସଂଖ୍ୟା ବଢ଼ିବା ସହ ଫିଲ୍ମଟି ଏକ ବଡ଼ ‘ସ୍ଲିପର ହିଟ୍’ରେ ପରିଣତ ହୋଇଛି। ୩୦ତମ ଦିନରେ ଫିଲ୍ମର ନେଟ୍ ଇଣ୍ଡିଆ କଲେକ୍ସନ ୧୦୦ କୋଟି ଅତିକ୍ରମ କରିଥିଲା। ୩୧ତମ ଦିନ ସୁଦ୍ଧା ମୋଟ କଲେକ୍ସନ ପ୍ରାୟ ୧୨୨.୧୩ କୋଟିରେ ପହଞ୍ଚିଥିବା ରିପୋର୍ଟ ଆସିଛି। ଏହାକୁ ଭାରତୀୟ ସିନେମାର ସବୁଠାରୁ କମ୍ ବଜେଟ୍ରେ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିଥିବା ହିନ୍ଦୀ ଫିଲ୍ମ ଭାବେ ରିପୋର୍ଟ କରାଯାଉଛି। ବକ୍ସ ଅଫିସ୍ରେ ‘ହନୁମାନ ଅଂଶ’ର ଏହି ଯାତ୍ରା ଆହୁରି ଚମତ୍କାର, କାରଣ ରିଲିଜ୍ ପୂର୍ବରୁ ଏହାକୁ ନେଇ ବଡ଼ ଆଶା ଦେଖାଯାଇନଥିଲା। ଏକ ସମୟରେ ଫିଲ୍ମର ଶୋ’ ସଂଖ୍ୟା ୩୫୦ରୁ ମାତ୍ର ୨୫କୁ କମିଯାଇଥିଲା। ନିର୍ମାତା-ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀ ନିଜେ କହିଛନ୍ତି ଯେ ସେହି ସମୟରେ ଫିଲ୍ମଟି ବିଫଳ ହୋଇଯିବ ବୋଲି ଭୟ ଲାଗିଥିଲା। କିନ୍ତୁ ପରେ ଦର୍ଶକଙ୍କ ସମର୍ଥନରେ ସମ୍ପୂର୍ଣ୍ଣ ଚିତ୍ର ବଦଳିଗଲା। ଫିଲ୍ମର କାହାଣୀ ନୀମ କରୋଲି ବାବାଙ୍କ ଜୀବନ, ହନୁମାନ ଭକ୍ତି, ସେବା ଓ ଆଧ୍ୟାତ୍ମିକ ଦର୍ଶନକୁ କେନ୍ଦ୍ର କରି ଗଢ଼ାଯାଇଛି। ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ୧୯୭୫ର ‘ଜୟ ସନ୍ତୋଷୀ ମା’ ଭଳି ଭକ୍ତିମୟ ସିନେମା ତାଙ୍କୁ ଏହି ଫିଲ୍ମ ତିଆରି କରିବାକୁ ପ୍ରେରଣା ଦେଇଥିଲା। ଫିଲ୍ମ ନିର୍ମାଣ ସମୟରେ ସେ ନିଜ ନିର୍ଦ୍ଦେଶକ ଫି’ ମଧ୍ୟ ଛାଡ଼ିଥିବା କହିଛନ୍ତି।
ଏବେ ‘ହନୁମାନ ଅଂଶ’ କେବଳ ଏକ ଫିଲ୍ମ ନୁହେଁ, ବରଂ ଭାରତୀୟ ସିନେମାରେ କମ୍ ବଜେଟ୍ ଓ ଶକ୍ତିଶାଳୀ କାହାଣୀର ଏକ ବଡ଼ ଉଦାହରଣ ପାଲଟିଛି। ବଡ଼ ବଜେଟ୍ର ଫିଲ୍ମ ସହ ପ୍ରତିଯୋଗିତା କରି ଦର୍ଶକଙ୍କ ମନ ଜିତିବା ସହ ବକ୍ସ ଅଫିସ୍ରେ ନୂଆ ରେକର୍ଡ ସୃଷ୍ଟି କରିଛି ଏହି ଭକ୍ତିମୟ ଚଳଚ୍ଚିତ୍ର।
