Guwahati Riya Murder:ପତ୍ନୀର ମୁଣ୍ଡ କାଟି ଫ୍ରିଜରେ ରଖିଲା ସ୍ୱାମୀ- ଗୌହାଟିରେ ସୀମା ଟପିଲା ନୃଶଂସତା
ରିୟାଙ୍କ ମୁଣ୍ଡ କାଟି ପଲିଥିନରେ ରଖି ଫ୍ରିଜରେ ଲୁଚାଇଥିଲା। କେବଳ ଏତିକି ନୁହେଁ। ରିୟାଙ୍କ ଅଙ୍ଗୁଳି ବି କାଟିଦେବା କଥା ସାମ୍ନାକୁ ଆସିଛି। ପୁଲିସର ଅନୁମାନ ଯେ, ହତ୍ୟା ପ୍ରାୟ ୨୪ରୁ ୪୮ ଘଣ୍ଟା ପୂର୍ବରୁ ହୋଇଛି।

ଗୌହାଟିର ସ୍ୱାମୀର ନୃଶଂସତା ସୀମା ଟପିଲା। ଗୌହାଟିରେ ୨୫ ବର୍ଷୀୟା ରିୟାର ମୁଣ୍ଡ କାଟି ପଲିଥିନରେ ରଖିଥିଲା ସ୍ୱାମୀ ରାମାନୁଜନ ଗୋସ୍ୱାମୀ। ଏହା ପରେ ଫ୍ରିଜରେ ଲୁଚାଇଥିଲା। ଏମିତି ଲୋମଟାଙ୍କୁରା ଘଟଣାରେ ସମସ୍ତେ ସ୍ତବ୍ଧ। ରିୟା ତାଲୁକଦାର ଫ୍ୟାନ୍ସି ବାଜାରରେ ବୁଟିକ୍ ରେ କାମ କରୁଥିଲେ। ତାଙ୍କ ବାପା ମାଆ ନାହାନ୍ତି। ପରିବାରରେ କେବଳ ଜଣେ ଭାଇ ଅଛି। ସୋମବାର ରିୟା ଓ ତାଙ୍କ ସ୍ୱାମୀ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରାମାନୁଜନ ରାତି ପ୍ରାୟ ୮ଟାରେ ଘରୁ ବାହାରି ଯାଇଥିଲା। ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେବେ ପଡ଼ୋଶୀଙ୍କୁ ସକାଳୁ ଘରୁ ଦୁର୍ଗନ୍ଧ ଆସିଥିଲା। ସନ୍ଦେହ ହେବାରୁ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଦେଖିଲା, ରିୟାଙ୍କୁ ଅତି କ୍ରୁରତାର ସହ ହତ୍ୟା କରାଯାଇଛି। ରିୟାଙ୍କ ମୁଣ୍ଡ କାଟି ପଲିଥିନରେ ରଖି ଫ୍ରିଜରେ ଲୁଚାଇଥିଲା। କେବଳ ଏତିକି ନୁହେଁ। ରିୟାଙ୍କ ଅଙ୍ଗୁଳି ବି କାଟିଦେବା କଥା ସାମ୍ନାକୁ ଆସିଛି। ପୁଲିସର ଅନୁମାନ ଯେ, ହତ୍ୟା ପ୍ରାୟ ୨୪ରୁ ୪୮ ଘଣ୍ଟା ପୂର୍ବରୁ ହୋଇଛି। ମହିଳାଙ୍କ ଶବ ବ୍ୟବଛେଦ ଲାଗି ଗୌହାଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇ ଦିଆଯାଇଛି। ସେପଟେ ଅଭିଯୁକ୍ତ ସ୍ୱାମୀ ରାମାନୁଜନ ହାଟିଗାଁଓ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି। ଆଉ ନିଜ ଦୋଷ ସ୍ୱୀକାର କରିଛି। ଦୁହିଁଙ୍କ ବିବାହ ୬ ମାସ ତଳେ ହୋଇଥିଲା। ଆଉ ପରସ୍ପର ସହ ମତଭେଦରୁ ବଚସା ଓ ଏଭଳି ଜଘନ୍ୟ କାଣ୍ଡ ଘଟିଗଲା। ପୁଲିସ ଓ ଫରେନସିକ ଟିମ୍ ଏହାର ତଦନ୍ତ କରୁଛି।
