ଲେଫ୍ଟଲାଣ୍ଟ ଜେନେରାଲ ଧୀରଜ ସେଠ ହେବେ ସ୍ଥଳ ସେନା ମୁଖ୍ୟ ।
ନିଯୁକ୍ତ ହେଲେ ନୂଆ ସ୍ଥଳସେନା ମୁଖ୍ଯ । ସ୍ଥଳ ସେନା ମୁଖ୍ଯ ଭାବେ ଲେଫ୍ଟେନାଣ୍ଟ ଜେନେରାଲ୍ ଧୀରଜ ସେଠଙ୍କୁ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆସନ୍ତା ୩୦ରେ ନେବେ ଦାୟିତ୍ୱ।

ଭାରତୀୟ ସେନାର ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦ୍ର ସରକାର ଭାରତୀୟ ସ୍ଥଳ ସେନାରେ ଉପ-ସେନାପ୍ରମୁଖ ଭାବେ ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଦେଶର ପରବର୍ତ୍ତୀ ସେନାପ୍ରମୁଖ ଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ସେନାପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ତେବେ କେନ୍ଦ୍ର ସରକାର ପରବର୍ତ୍ତୀ ସେନା ମୁଖ୍ଯ ଭାବେ ଲେଫ୍ଟେନାଣ୍ଟ ଜେନେରାଲ୍ ଧୀରଜ ସେଠଙ୍କୁ ଜୁନ୍ ୩୦, ୨୦୨୬ ଠାରୁ ଭାରତୀୟ ସେନାର ନୂତନ ସେନାପ୍ରମୁଖ ଭାବେ ନିଯୁକ୍ତ କରିଛନ୍ତି। ସେହି ଦିନ ବର୍ତ୍ତମାନର ସେନାପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ଅବସର ଗ୍ରହଣ କରିବେ। ଦେଶର ସୁରକ୍ଷା ବ୍ୟବସ୍ଥା, ସୀମା ସୁରକ୍ଷା, ସେନାର ଆଧୁନିକୀକରଣ ଏବଂ ଭବିଷ୍ୟତର ସାମରିକ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଧୀରଜ ସେଠଙ୍କ ନିଯୁକ୍ତିକୁ ଏକ ଦୂରଦର୍ଶୀ ଏବଂ କୌଶଳଗତ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠ ଭାରତୀୟ ସେନାର ଆର୍ମର୍ଡ କୋର୍ପ୍ସର ଜଣେ ପ୍ରତିଷ୍ଠିତ ଅଧିକାରୀ। ଟ୍ୟାଙ୍କ ରେଜିମେଣ୍ଟ ଓ ସଜ୍ଜିତ ଯୁଦ୍ଧ ବାହିନୀ ସହ ତାଙ୍କର ଅଭିଜ୍ଞତା ରହିଛି। ଭାରତୀୟ ସେନାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଜଣେ ଯୁବ ଅଧିକାରୀ ଭାବେ, କିନ୍ତୁ ନିଜର କାର୍ଯ୍ୟଦକ୍ଷତା, ନେତୃତ୍ୱ କ୍ଷମତା, ଶୃଙ୍ଖଳା ଓ ରଣନୀତିକ ଚିନ୍ତାଧାରା ମାଧ୍ୟମରେ ସେ ଧୀରେ ଧୀରେ ସେନାର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ମରୁଭୂମିର କଠିନ ପରିବେଶରୁ ଆରମ୍ଭ କରି ପାହାଡ଼ିଆ ଅଞ୍ଚଳ, ଆତଙ୍କବାଦ ପ୍ରଭାବିତ ଅଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳରେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ସହିତ ସେ ସାଉଦର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନୂତନ ସେନାପ୍ରମୁଖ ଭାବେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଦାୟିତ୍ୱ ହେବ ଭାରତୀୟ ସେନାର ଆଧୁନିକୀକରଣକୁ ଆହୁରି ଗତିଶୀଳ କରିବା। ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠଙ୍କ ସେବା ଓ ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ଅନେକ ସମ୍ମାନଜନକ ସାମରିକ ପୁରସ୍କାର ପ୍ରଦାନ କରାଯାଇଛି। ସେଥିରେ ପରମ ବିଶିଷ୍ଟ ସେବା ପଦକ ଭଳି ଉଚ୍ଚ ସାମରିକ ସମ୍ମାନ ମଧ୍ୟ ରହିଛି। ଏହି ସମ୍ମାନଗୁଡ଼ିକ କେବଳ ତାଙ୍କର ପେଶାଦାର ଦକ୍ଷତାର ପ୍ରମାଣ ନୁହେଁ, ବରଂ ଜାତୀୟ ସୁରକ୍ଷା ପ୍ରତି ତାଙ୍କର ନିଷ୍ଠା ଓ ଅବଦାନର ମଧ୍ୟ ସ୍ୱୀକୃତି। ତେବେ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ରହିବାକୁ ଥିବା ତାଙ୍କର କାର୍ଯ୍ୟକାଳ ଭାରତୀୟ ସେନା ପାଇଁ ଏକ ପରିବର୍ତ୍ତନଶୀଳ ଯୁଗ ସାବ୍ୟସ୍ତ ହୋଇପାରେ।
ରିପୋର୍ଟ- ସମ୍ପଦା ମିଶ୍ର
