TARANG SHAKTI 2026 : ଯୋଧପୁରରେ 'ତରଙ୍ଗ ଶକ୍ତି-୨୬' : ଭାଗ ନେବେ ୭ଟି ବନ୍ଧୁରାଷ୍ଟ୍ରର ବାୟୁସେନା
"ବଦଳୁଥିବା ଆଧୁନିକ ଯୁଦ୍ଧକୌଶଳରେ ବହୁରାଷ୍ଟ୍ରୀୟ ସହଯୋଗ ଓ ମିଳିମିଶି କାର୍ଯ୍ୟ କରିବାର କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ" କହିଛନ୍ତି ଉପ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ। ଭାରତୀୟ ବାୟୁସେନା (IAF) ଯୋଧପୁରରେ ଆୟୋଜନ କରିବ 'ତରଙ୍ଗ ଶକ୍ତି'ର ଦ୍ୱିତୀୟ ସଂସ୍କରଣ | ମୁଖ୍ୟ ଆକର୍ଷଣ ଆମେରିକାର ଷ୍ଟିଲଥ୍ ଫାଇଟର F-35 |
ଭାରତୀୟ ବାୟୁସେନା (IAF) ଆସନ୍ତା ସେପ୍ଟେମ୍ବର ୨୬ ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରେ ଆୟୋଜନ କରିବ, ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସ 'ତରଙ୍ଗ ଶକ୍ତି-୨୬' ର ଦ୍ୱିତୀୟ ସଂସ୍କରଣ । ଏହି ବାୟୁ ସମରାଭ୍ୟାସରେ ନିଜର ଆଧୁନିକ ଯୁଦ୍ଧବିମାନ ସହ ପ୍ରତ୍ୟକ୍ଷ ଭାବେ ଭାଗ ନେବାକୁ ଯାଉଛନ୍ତି ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ୟୁଏଇ ଭଳି ୭ଟି ବନ୍ଧୁରାଷ୍ଟ୍ରର ବାୟୁସେନା ।
ଏହି ମେଗା ସାମରିକ ଅଭ୍ୟାସର ଖାସ ଆକର୍ଷଣ ଆମେରିକାର ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଷ୍ଟିଲଥ୍ ଫାଇଟର F-35 ର ପ୍ରଥମଥର ପାଇଁ କୌଣସି ରଣନୀତିକ ଭାଗିଦାରୀ । ଯଦିଓ F-35 ଏୟରୋ ଇଣ୍ଡିଆ 2025 ରେ ଦେଖାଯାଇଥିଲା ତଥାପି ,ଏହା ପ୍ରଥମ ଥର ପାଇଁ ଭାରତୀୟ ଆକାଶରେ କୌଣସି ସୈନ୍ୟ ଯୁଦ୍ଧାଭ୍ୟାସରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବ। ଏହା ସହିତ ଫ୍ରାନ୍ସର ରାଫେଲ, ୟୁଏଇର F-16 ,ବାଂଲାଦେଶର C -130J ବିମାନ ମଧ୍ୟ ଶାମିଲ ରହିବ | ଭାରତୀୟ ବାୟୁସେନାର ସୁଖୋଇ-30MKI, ରାଫେଲ, ତେଜସ ଓ ମିରାଜ-2000 ଭଳି ଅଗ୍ରଣୀ ଲଢ଼ୁଆ ବିମାନଗୁଡ଼ିକ ମଧ୍ୟ ଏକାଠି ଆକାଶମାର୍ଗରେ କୌଶଳ ପ୍ରଦର୍ଶନ କରିବେ।
ଉପ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ କହିଛନ୍ତି ଯେ, ପ୍ରଥମେ ଭାରତର ଧ୍ୟାନ ମୁଖ୍ୟ ରୂପରେ ଦ୍ବିପକ୍ଷୀୟ ଅଭ୍ୟାସ ଉପରେ ଥିଲା , କିନ୍ତୁ 'ତରଙ୍ଗ ଶକ୍ତି' ଅନେକ ଦେଶମାନଙ୍କ ସହ ମିଶି କାମକରିବାର ନୂଆ ଅଧ୍ୟାୟ ଆରମ୍ଭ କରିଛି | ଏହି ବର୍ଷ 65 ମିତ୍ର ଦେଶଙ୍କୁ ଆମନ୍ତ୍ରିତ କରାଯାଇଛି | ସେ କହିଛନ୍ତି ଯେ, ବଦଳୁଥିବା ଆଧୁନିକ ଯୁଦ୍ଧ କୌଶଳରେ ବହୁରାଷ୍ଟ୍ରୀୟ ସହଯୋଗ ଓ ମିଳିମିଶି କାର୍ଯ୍ୟ କରିବାର କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିକଟରେ ହେଇଥିବା 'ଅପରେସନ ସିନ୍ଦୁର' ର ଉଦାହରଣ ଦେଇ ଖୁଫିଆ ଆଧାରିତ ଅଭିଯାନ ର ଆବଶ୍ୟକତା ଉପରେ ମଧ୍ୟ ରେଖାଙ୍କିତ କରିଛନ୍ତି | ଦ୍ରୁତ ବିକଶିତ ହେଉଥିବା ଡ୍ରୋନ ବିରୋଧୀ ବ୍ୟବସ୍ଥା, ମିସାଇଲ ଡିଫେନ୍ସ ଏବଂ ମହାକାଶ-ଭିତ୍ତିକ ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ଏହି ଅଭ୍ୟାସ ସମସ୍ତ ଭାଗିଦାରୀ ଦେଶଗୁଡ଼ିକୁ ସାମରିକ ଅନୁଭୂତି ହାସଲ କରିବାରେ ବଡ଼ ସାହାଯ୍ୟ କରିବ।
ତେଜସ (LCAMk1A) ର ଆପୁର୍ତ୍ତି ହେଉଥିବା ବିଳମ୍ବ ଉପରେ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ସ୍ପଷ୍ଟ କରିଛନ୍ତି ଯେ, ଆରମ୍ଭରୁ ଇଞ୍ଜିନ ର ସମସ୍ୟା ଥିଲା,କିନ୍ତୁ ଏବେ ଇଞ୍ଜିନ ମିଳିଯାଇଛି | ଆସନ୍ତା ଦୁଇ ମାସ ମଧ୍ୟରେ ଅନ୍ତିମ ପରୀକ୍ଷଣ କରାଯାଇ ବିମାନକୁ ବାୟୁସେନାରେ ଶାମିଲ କରାଯିବ |
