National Film-Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ସମ୍ମାନ
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର। ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ଭବ୍ୟ ସମାରୋହ, ଏକତା ନଗରରେ ୯୨ ଜଣ ବିଜେତା ସମ୍ମାନିତ।

ଗୁଜରାଟ: ଗୁଜରାଟର ଏକତା ନଗରସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଭବ୍ୟ ପୃଷ୍ଠଭୂମିରେ ଆୟୋଜିତ ହୋଇଛି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୪ ବର୍ଷ ପାଇଁ ଫିଚର୍, ନନ୍-ଫିଚର୍ ଓ ସିନେମା ଲେଖନ ବିଭାଗରେ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ପ୍ରତିଭାମାନଙ୍କୁ ସମ୍ମାନିତ କରିଛନ୍ତି। ପ୍ରଥମ ଥର ପାଇଁ ଏହି ସମାରୋହ ଦିଲ୍ଲୀ ବାହାରେ କରାଯାଇଛି । ଏହି ସମାରୋହରେ ମୋଟ୍ ୯୨ ବିଜେତାଙ୍କୁ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ବର୍ଷର ପ୍ରତିଷ୍ଠିତ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯାଇଛି। ରାଜନୈତିକ ଥ୍ରିଲର୍ ଆର୍ଟିକିଲ୍ ୩୭୦କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଫିଲ୍ମ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିପରି ବରିଷ୍ଠ ଅଭିନେତା ମାମୁଟ୍ଟି ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସାମ୍ମାନିତ କରାଯାଇଥିଲା । ମାମୁଟ୍ଟିଙ୍କୁ ମାଲାୟଲମ ଫିଲ୍ମ ‘ବ୍ରମାୟୁଗମ୍’ ଏବଂ କାର୍ତ୍ତିକ ଆର୍ୟନଙ୍କୁ ‘ଚନ୍ଦୁ ଚ୍ୟାମ୍ପିଅନ୍’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ‘ସ୍ୱତନ୍ତ୍ର୍ୟ ବୀର ସାବରକର’ ପାଇଁ ରଣଦୀପ ହୁଡ୍ଡାଙ୍କୁ ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ମିଳିଛି।
ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାର ସାଂସ୍କୃତିକ ଶକ୍ତି ଓ ବିବିଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ବିଭିନ୍ନ ଭାଷା, ପରମ୍ପରା ଓ ସାମାଜିକ ଅନୁଭୂତିକୁ ସିନେମା ପ୍ରତିଫଳିତ କରୁଥିବା ସେ କହିଥିଲେ। ସିନେମା କେବଳ ମନୋରଞ୍ଜନ ଦେଉନାହିଁ, ବରଂ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଯୋଡ଼ିବା ସହ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାରେ ସହାୟକ ହେଉଛି ବୋଲି ରାଷ୍ଟ୍ରପତି କହିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଚଳଚ୍ଚିତ୍ର ନିର୍ମାଣରେ ପରଦା ପଛରେ କାମ କରୁଥିବା ଟେକ୍ନିସିଆନ୍, ସିନେମାଟୋଗ୍ରାଫର୍ ଓ ଅନ୍ୟ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଦାଦାସାହେବ ଫାଲ୍କେ ପୁରସ୍କାର ବିଜେତା ଅନନ୍ତ ନାଗଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ।
