Ganesh Puja Preparation: ଗଣେଶ ପୂଜା ପାଇଁ ସାଲେପୁରରେ ପ୍ରସ୍ତୁତି ବୈଠକ, ଡିଜେ ଉପରେ କଟକଣା
ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନେଇ ସାଲେପୁର ଆଦର୍ଶ ଥାନା ପକ୍ଷରୁ ମଧୁମଣ୍ଡପରେ ପ୍ରସ୍ତୁତି ବୈଠକ ହୋଇଛି। ଡିଜେ ଉପରେ କଟକଣା, ନିର୍ଦ୍ଦିଷ୍ଟ ଡେସିବଲ୍ରେ ଶବ୍ଦ ବ୍ୟବହାର, ଭସାଣି ପାଇଁ ପୋଲିସ ଅନୁମତି ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ନିୟୋଜନ ନେଇ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। #
ସାଲେପୁର: ଆଗକୁ ଆସୁଛି ପାର୍ବଣ ଋତୁ। ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ସାଲେପୁର ଆଦର୍ଶ ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଧୁମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି। ସାଲେପୁର ଥାନା ଆଇଆଇସି ମହେଶ୍ୱର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ସାଲେପୁର ଏସଡିପିଓ ବିରଞ୍ଚି ନାରାୟଣ ପତିଙ୍କ ସମେତ ଶତାଧିକ ପୂଜା କମିଟିର ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ଗଣେଶ ପୂଜା ଏବଂ ଭସାଣି ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୂଜା କମିଟିଗୁଡ଼ିକୁ ବିଭିନ୍ନ ନିୟମ ଓ ପରାମର୍ଶ ଦିଆଯାଇଥିଲା। ସରକାରୀ ନିୟମ ଅନୁସାରେ ପୂଜା ଆୟୋଜନ କରିବା ସହ ଭସାଣି ଶୋଭାଯାତ୍ରା ସମୟରେ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ବିଶେଷ କରି ଡିଜେ ବ୍ୟବହାର ଉପରେ କଟକଣା ରହିଥିବା ନେଇ ପୂଜା କମିଟିଗୁଡ଼ିକୁ ଅବଗତ କରାଯାଇଛି। ନିର୍ଦ୍ଦିଷ୍ଟ ଡେସିବଲ୍ ସୀମା ମଧ୍ୟରେ ଚାରିରୁ ଛଅଟି ବକ୍ସ ବ୍ୟବହାର କରିବା ସହ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଭସାଣି ଶୋଭାଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା ପାଇଁ ପୂଜା କମିଟିଗୁଡ଼ିକ ପକ୍ଷରୁ ସ୍ୱେଚ୍ଛାସେବୀ ନିୟୋଜନ କରିବାକୁ କୁହାଯାଇଛି। ଭସାଣି ପୂର୍ବରୁ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ ବୋଲି ମଧ୍ୟ ବୈଠକରେ ସ୍ପଷ୍ଟ କରାଯାଇଛି। ଗଣେଶ ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୂଜା କମିଟିଗୁଡ଼ିକ ପୋଲିସକୁ ସହଯୋଗ କରିବାକୁ ଏସଡିପିଓ ବିରଞ୍ଚି ନାରାୟଣ ପତି ଅନୁରୋଧ କରିଛନ୍ତି। ଏଥିସହ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
