KHAIRA/SALEPUR GANESH PUJA NEWS: ଖଇରାରେ ୫ଟି ସୁସଜ୍ଜିତ ମଣ୍ଡପ, ରେଶମୀ ନଗରୀରେ ୩୨ ଫୁଟ୍ ଉଚ୍ଚ ଗଣେଶ ଆକର୍ଷଣର କେନ୍ଦ୍ର
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଥିବା ବେଳେ ଖଇରା ବଜାରରେ ଶ୍ରୀଗଣେଶଙ୍କ ପାଇଁ ନିର୍ମିତ ୫ଟି ସୁସଜ୍ଜିତ ତୋରଣ ଓ ପୂଜାମଣ୍ଡପ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏପଟେ କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ କଲ୍ୟାଣପୁର ଅଞ୍ଚଳରେ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ବିଘ୍ନନାଶକ ଗଜାନନଙ୍କ ପୂଜା ଚାଲିଛି। ସେହିପରି ଗଜପତି ଜିଲ୍ଲାର ରେଶମୀ ନଗରୀରେ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଛି।

ବିଦ୍ୟାଦାତା ତଥା ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜା ଅବସରରେ ସବୁଠି ଉତ୍ସବମୁଖର ପରିବେଶ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଥିବା ବେଳେ ଖଇରା ବଜାରରେ ଶ୍ରୀଗଣେଶଙ୍କ ପାଇଁ ନିର୍ମିତ ୫ଟି ସୁସଜ୍ଜିତ ତୋରଣ ଓ ପୂଜାମଣ୍ଡପ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଖଇରା ବ୍ଲକ ପାର୍ଶ୍ୱ ବାଲିସାହିର ରାଧାକୃଷ୍ଣ ୟୁଥ୍ କ୍ଲବ ପକ୍ଷରୁ ସଭାପତି ପ୍ରିୟବ୍ରତ ସାହୁ ଓ ସମ୍ପାଦକ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରାୟ ୭୦ ଜଣ ସଭ୍ୟଙ୍କ ସହଯୋଗରେ ଛୋଟ ଛୋଟ ଫୁଲକୁଣ୍ଡରେ ସଜାଯାଇଥିବା ତୋରଣମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଛି। ସେହିପରି ହାଇସ୍କୁଲ ନିକଟସ୍ଥ ୱାରିଅର୍ସ କ୍ଲବ ପକ୍ଷରୁ ସଭାପତି ସତ୍ୟପ୍ରକାଶ ପାତ୍ର ଓ ସମ୍ପାଦକ ଆୟୁଷ ପ୍ରିତମ ସାମଲଙ୍କ ନେତୃତ୍ୱରେ ୮୦ ଜଣ ସଭ୍ୟଙ୍କ ଦ୍ୱାରା ସୁସଜ୍ଜିତ ମଣ୍ଡପ ନିର୍ମାଣ କରାଯାଇଛି। ବିଇଓ କାର୍ଯ୍ୟାଳୟ ନିକଟରେ ମା’ ଖଇରାଶୁଣି ୟୁଥ୍ କ୍ଲବ ପକ୍ଷରୁ ସଭାପତି ପ୍ରତ୍ୟୁଷ କୁମାର ସାହୁ ଓ ସମ୍ପାଦକ ଆକାଶ କୁମାର ସାହୁଙ୍କ ନେତୃତ୍ୱରେ ୨୫ ଜଣ ସଭ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ନିର୍ମିତ ଗଣେଶ ମଣ୍ଡପ ମଧ୍ୟ ଆକର୍ଷଣ ସାଜିଛି। ଦୁର୍ଗା ମଣ୍ଡପ ନିକଟରେ ଲିଜାଣ୍ଡ ଲାୟନ୍ସ କ୍ଲବ ପକ୍ଷରୁ ସଭାପତି ବିସ୍ମୟ ନାୟକଙ୍କ ନେତୃତ୍ୱରେ ୧୨୦ ଜଣ ସଭ୍ୟଙ୍କ ଦ୍ୱାରା ସୁନ୍ଦର ତୋରଣ ଓ ପୂଜାମଣ୍ଡପ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଲୁଗାଦୋକାନ ନିକଟରେ ଶ୍ରୀଗଣେଶ ପୂଜା କମିଟି ଖଇରା (SGPC) ପକ୍ଷରୁ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର ଓ ସମ୍ପାଦକ ରଶ୍ମିରଞ୍ଜନ ପଳେଇଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ସଭ୍ୟଙ୍କ ସହଯୋଗରେ ନିର୍ମିତ ସୁସଜ୍ଜିତ ତୋରଣମଣ୍ଡପ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଛି। ମଣ୍ଡପଗୁଡ଼ିକର ଚିତ୍ତାକର୍ଷକ ସାଜସଜ୍ଜା ଯୋଗୁଁ ଅଞ୍ଚଳରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି। ପୂଜାମଣ୍ଡପଗୁଡ଼ିକରେ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହେଉଛି। ଏପଟେ କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ କଲ୍ୟାଣପୁର ଅଞ୍ଚଳରେ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ବିଘ୍ନନାଶକ ଗଜାନନଙ୍କ ପୂଜା ଚାଲିଛି। ପାଞ୍ଚଦିନ ବ୍ୟାପୀ ଏହି ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କ୍ଲବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ପୋଲିସ ପ୍ରଶାସନର ନିୟମକୁ ସମ୍ମାନ ଜଣାଇ ଡିଜେ ଓ ଆତସବାଜି ବିନା ପାରମ୍ପରିକ ରୀତିନୀତିରେ ଭସାଣି ଶୋଭାଯାତ୍ରା କରାଯିବ ବୋଲି କ୍ଲବ ସଦସ୍ୟମାନେ କହିଛନ୍ତି। ସେହିପରି ଗଜପତି ଜିଲ୍ଲାର ରେଶମୀ ନଗରୀରେ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା ଧୁମଧାମରେ ଚାଲିଛି। ସହରରେ ୧୦୦ରୁ ଅଧିକ ପୂଜାମଣ୍ଡପରେ ଗଣେଶ ପୂଜା ପାଉଥିବା ବେଳେ ଅଶୋକ ନଗର ପୂଜାମଣ୍ଡପରେ ସ୍ଥାପିତ ୩୨ ଫୁଟ୍ ଉଚ୍ଚତାର ଗଣେଶ ମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ବିଭିନ୍ନ ମଣ୍ଡପରେ ଚିତ୍ତାକର୍ଷକ ସାଜସଜ୍ଜା ଓ ଭକ୍ତଙ୍କ ଭିଡ଼ ଯୋଗୁଁ ସହରର ପରିବେଶ ଉତ୍ସବମୁଖର ହୋଇଉଠିଛି |
