Ganesh Puja at Katak: କଟକରେ ଧୁମଧାମରେ ଗଣେଶ ପୂଜା, ସ୍କୁଲ, କଲେଜରୁ କ୍ଲବ-ଅନୁଷ୍ଠାନ; ସବୁଠି ଗଜାନନଙ୍କ ଆରାଧନା
ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ କଟକରେ ଉତ୍ସବର ମାହୋଲ। ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା। ଚହଟା ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀ ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳି ଦେଇ ଗଜାନନଙ୍କ ଆଶୀର୍ବାଦ ଲାଭ କରିଛନ୍ତି।
କଟକ: ଆଜି ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପୂଜା। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ। ଚାରିଆଡ଼େ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି ବିଘ୍ନବିନାଶକ ଗଣେଶଙ୍କ ପୂଜା। ସଂସ୍କୃତି ଓ ପରମ୍ପରାର ନଗରୀ କଟକ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। କଟକ ସହରର ବିଭିନ୍ନ ସ୍କୁଲ, କଲେଜ, କ୍ଲବ, ପୂଜା କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ୍ ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା। ବିଦ୍ୟାଦାତା ପ୍ରଭୁ ଗଣେଶଙ୍କୁ ପୂଜା କରି ଛାତ୍ରଛାତ୍ରୀମାନେ ତାଙ୍କ ଆଶୀର୍ବାଦ ଲାଭ କରିଛନ୍ତି।
ଚହଟାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଗଣେଶ ପୂଜାକୁ ବେଶ୍ ଜାକଜମକରେ ପାଳନ କରାଯାଇଛି। ବିଧି ଅନୁସାରେ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପୂଜା ଗୃହକୁ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଭାବେ ସଜାଇଥିଲେ। ପରେ ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା ସହ ପୁଷ୍ପାଞ୍ଜଳି ପ୍ରଦାନ କରି ବିଦ୍ୟାଦାତା ପ୍ରଭୁ ଗଜାନନଙ୍କ କୃପା ଲାଭ କାମନା କରିଥିଲେ। ପୂଜା ପରେ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। ଏହାକୁ ନେଇ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ସେହିପରି କଟକ ସହରର ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଓ ପୂଜା କମିଟି ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଗଣେଶ ପୂଜାକୁ ଉତ୍ସାହର ସହ ପାଳନ କରାଯାଇଛି। ଭକ୍ତି, ଶ୍ରଦ୍ଧା ଓ ଉତ୍ସବର ମାହୋଲରେ ଗୁଞ୍ଜରିତ ହେଉଛି ସମଗ୍ର କଟକ ସହର।
