Gajapati Murder: ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା
ରାତିରେ ଘରକୁ ଫେରିଲେନି, ସକାଳେ ମିଳିଲା ରକ୍ତାକ୍ତ ମୃତଦେହ। ଗଛମୂଳେ ପଡ଼ିଥିଲା ୫୫ ବର୍ଷୀୟ ବଳରାମଙ୍କ ଶରୀର। ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ଭାଇଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଗଜପତି:ଗଜପତି ଜିଲ୍ଲାରେ ଚାଞ୍ଚଲ୍ୟ। ଗଛମୂଳେ ପଡ଼ିଥିଲା ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ। ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ମୋହନା ଥାନା ଅନ୍ତର୍ଗତ ଢେଙ୍କାସିନ୍ଧବା ଗାଁର ୫୫ ବର୍ଷୀୟ ବଳରାମ ପେଟୁସିଂ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବଳରାମ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏକ ଗଛମୂଳେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଗାଁରେ ଥିବା ଏକ ଦେଶୀ ମଦଭାଟିଠାରୁ କିଛି ଦୂରରେ ଏହି ମୃତଦେହ ମିଳିଥିଲା। ମୃତଦେହ ନିକଟରେ ଏକ ବଡ଼ ପଥର ପଡ଼ିଥିବା ବେଳେ ବଳରାମଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା। ବିଶେଷକରି ମୁହଁ ସମ୍ପୂର୍ଣ୍ଣ କ୍ଷତାକ୍ତ ହୋଇଥିଲା। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି।
ଖବର ପାଇ ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ୍ୟୁର କାରଣ ଓ ଏହା ପଛରେ କାହାର ହାତ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
