ବିକ୍ରି ବନ୍ଦ କର- ଡାବରକୁ ବ୍ୟାନ୍ ଓ ନୋଟିସ
ମିଶ୍ରିତ ଖାଦ୍ୟ ପଦାର୍ଥରେ ଏଭଳି ଦାବି କରି ବିକ୍ରି କରିବା ବେଆଇନ ଅଟେ। FSSAI ଡାବରକୁ ତୁରନ୍ତ ଏହି ଉତ୍ପାଦଗୁଡ଼ିକର ବିକ୍ରି ବନ୍ଦ କରିବା ସହ ୧୫ ଦିନ ମଧ୍ୟରେ Action Taken Report (ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ଉତ୍ପାଦର ଗୁଣବତ୍ତା ଅସୁରକ୍ଷିତ ବୋଲି ନୁହେଁ, ବରଂ ଭ୍ରମକାରୀ "100%" ଲେବେଲିଂ ଓ ବିଜ୍ଞାପନ ଦାବିକୁ ନେଇ ନିଆଯାଇଛି।

ଡାବରର ପ୍ରଡ଼କ୍ଟ ଉପରେ ଲାଗିଲା ବ୍ୟାନ୍। ବ୍ୟାନ୍ ଲଗାଇଲା FSSAI ବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ। ଘିଅ, ମହୁ ସମେତ ଅନେକ ପ୍ରଡକ୍ଟସ ଉପରେ ଲାଗିଛି ବ୍ୟାନ୍। ଭାରତର ସବୁଠୁ ପୁରୁଣା କମ୍ପାନୀ ପ୍ରାୟ ୧୪୨ ବର୍ଷର ପୁରୁଣା କମ୍ପାନୀ ଡାବର ଇଣ୍ଡିଆ ଯେଉଁ ଶତପ୍ରତିଶତ ଶୁଦ୍ଧ ସାମଗ୍ରୀ ଉତ୍ପାଦନର ଦାବି କରୁଥିଲା, ଏହି ପ୍ରତିବନ୍ଧକ ଏବେ ଏ ସବୁ ପ୍ରଡକ୍ଟସର ବିକ୍ରି ଉପରେ କଟକଣା ଲଗାଇଦେଇଛି। ଡାବରକୁ ୧୫ ଦିନ ଭିତରେ ଆକ୍ସନ ରିପୋର୍ଟ ଦେବାକୁ ପଡ଼ିବ। ଏଭଳି ବ୍ୟାନ୍ ପରେ ଖସିଲା କମ୍ପାନୀର ସେୟାର। ଡାବର ଇଣ୍ଡିଆର ସେୟାର ୨.୪୨ ପ୍ରତିଶତ ହ୍ରାସ ପାଇ ୪୧୫.୫୦କୁ ଖସିଆସିଛି। ପ୍ରତିବନ୍ଧିତ ଉତ୍ପାଦରେ ଭିନେଗାର, ନଡ଼ିଆ ତେଲ, ସୋରିଷ ତେଲ, ଗାଈ ଘିଅ, ନଡ଼ିଆ ପାଣି ଓ ନଡ଼ିଆର କ୍ଷୀର ଅନ୍ତର୍ଭୁକ୍ତ। ଡାବର ଓ୍ୱେବସାଇଟରେ ତାଲିକାଭୁକ୍ତ ପ୍ରଡ଼କ୍ଟସରେ ଶତପ୍ରତିଶତ ନାଚୁରାଲ, ଶତପ୍ରତିଶତ ଶୁଦ୍ଧ, ଶୁଦ୍ଧତାର ଗ୍ୟାରେଣ୍ଟି, ଶତପ୍ରତିଶତ ଅର୍ଗାନିକ୍ ଓ ଶତ ପ୍ରତିଶତ ଟେଣ୍ଡର କୋକାନଟ ଓ୍ୱାଟର ଭଳି ଦାବି କରାଯାଉଛି। ଭାରତୀୟ ଖାଦ୍ୟସୁରକ୍ଷା ଓ ମାନକ ପ୍ରାଧିକରଣ କହିଛି, ଶତପ୍ରତିଶତ ଦାବିର ଉପଯୋଗ ବିଜ୍ଞାପନ ଓ ଦାବି ଅଧିନିୟମ ୨୦୧୮ର ଉଲ୍ଲଂଘନ କରୁଛି। କାରଣ ଏହା ଅସ୍ପଷ୍ଟ, ଅପ୍ରମାଣିତ ଓ ଏଭଳି ଦାବି କରି ଉପଭୋକ୍ତାଙ୍କୁ ଭ୍ରମିତ କରାଯାଇପାରେ। ଡାବର ବୟାନରେ କହିଛି ଯେ, ତାକୁ ନିୟାମକ ଆୟୋଗର ନୋଟିସ ମିଳିଛି। ଆଉ ଓ୍ୱେବସାଇଟରେ ଦର୍ଶାଯାଇଥିବା ତଥ୍ୟକୁ ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ବି ଡାବରକୁ ନୋଟିସ ହୋଇଥିଲା। ଡାବର ହିମାଳୟନ ଅର୍ଗାନିକ୍ ଆପଲ ସାଇଡର ଭିନେଗାର ଏବଂ ଡାବର ଅର୍ଗାନିକ୍ ମହୁ ଉପରେ FSSAI ର ବୈଧ ଅର୍ଗାନିକ୍ ସାର୍ଟିଫିକେସନ ନଥିବା ସତ୍ତ୍ୱେ ଜୈବିକ ଭାରତ ଲୋଗୋ ଲଗାଇଥିଲା ଡାବର। ଏହା ବ୍ୟତୀତ ଡାବର ହୋମମେଡ୍ ନଡ଼ିଆ କ୍ଷୀରକୁ ଶତପ୍ରତିଶତ ଶୁଦ୍ଧତା ସହ ବିକ୍ରି କରାଯାଉଛି। ମିଶ୍ରିତ ଖାଦ୍ୟ ପଦାର୍ଥରେ ଏଭଳି ଦାବି କରି ବିକ୍ରି କରିବା ବେଆଇନ ଅଟେ। FSSAI ଡାବରକୁ ତୁରନ୍ତ ଏହି ଉତ୍ପାଦଗୁଡ଼ିକର ବିକ୍ରି ବନ୍ଦ କରିବା ସହ ୧୫ ଦିନ ମଧ୍ୟରେ Action Taken Report (ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ଉତ୍ପାଦର ଗୁଣବତ୍ତା ଅସୁରକ୍ଷିତ ବୋଲି ନୁହେଁ, ବରଂ ଭ୍ରମକାରୀ "100%" ଲେବେଲିଂ ଓ ବିଜ୍ଞାପନ ଦାବିକୁ ନେଇ ନିଆଯାଇଛି।
