ରାଜନୀତିରୁ ରୂପେଲି ପରଦାକୁ ଶ୍ରୀମୟୀ ମିଶ୍ର , ‘ପଶାପାଲି’ରେ ମୁଖ୍ୟ ଭୂମିକା
ରାଜନୀତିରେ ନୁହେଁ, ବରଂ ରାଜନୈତିକ ପ୍ରେକ୍ଷାପଟକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପଶାପାଲି’ ମାଧ୍ୟମରେ ପୁଣିଥରେ ଚର୍ଚ୍ଚାରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର ।
କଟକ: ରାଜନୀତିର ପଶାପାଲିରେ ଚର୍ଚ୍ଚିତ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର ଏବେ ରୂପେଲି ପରଦାରେ ନଜର ଆସିବେ। ରାଜନୀତିରେ ନୁହେଁ, ବରଂ ରାଜନୈତିକ ପ୍ରେକ୍ଷାପଟକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପଶାପାଲି’ ମାଧ୍ୟମରେ ସେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। କଟକ ଜିଲ୍ଲାର ସାଲେପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିକଳାନନ୍ଦ କର ପ୍ରଡକ୍ସନ୍ର ପ୍ରଥମ ଚଳଚ୍ଚିତ୍ର ‘ପଶାପାଲି’ର ଶୁଭ ମହୂରତ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଶ୍ରୀମୟୀ ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବାବେଳେ ଏହାର କାହାଣୀ ରାଜନୀତି ଓ ସମସାମୟିକ ସାମାଜିକ ପ୍ରସଙ୍ଗକୁ ନେଇ ଗଢ଼ାଯାଇଛି। ପ୍ରଶାନ୍ତ କର ଏହି ସିନେମାର ପ୍ରଯୋଜନା କରୁଥିବାବେଳେ ସଞ୍ଜୟ ନାୟକ ନିର୍ଦ୍ଦେଶନାର ଦାୟିତ୍ୱରେ ଅଛନ୍ତି। ଚଳଚ୍ଚିତ୍ରରେ ଶ୍ରୀମୟୀ ମିଶ୍ରଙ୍କ ସହ ପୃଥ୍ୱୀରାଜ ନାୟକ, ଶୁଭ୍ରାଂଶୁ ନାୟକ, ଇତିଶ୍ରୀ, ରାଜଶ୍ରୀ ଓ ଦୁଷ୍ମନ୍ତ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଋତୁରାଜ, କୃଷ୍ଣା ବେଉରା ଓ ଇରା ମହାନ୍ତି ଏହି ସିନେମାର ଗୀତରେ କଣ୍ଠଦାନ କରିଛନ୍ତି। ‘ପଶାପାଲି’ର କାହାଣୀ ରାଜନୀତି, ବେକାରୀ ସମସ୍ୟା ଓ ଏହାର ସମାଧାନକୁ କେନ୍ଦ୍ର କରି ଗଢ଼ିଉଠିଛି। ପ୍ରଯୋଜକଙ୍କ ରଚିତ ଏକ ପୁସ୍ତକର ବିଷୟବସ୍ତୁକୁ ଆଧାର କରି ଏହି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରାଯାଇଛି। ରାଜନୈତିକ ଓ ସାମାଜିକ ବାସ୍ତବତାକୁ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରୁଥିବା ଏହି ସିନେମା ଦର୍ଶକଙ୍କୁ ଏକ ନୂଆ ଅନୁଭବ ଦେବ ବୋଲି ନିର୍ମାତା ଆଶା ପ୍ରକାଶ କରିଛନ୍ତି।
