ମୁକେଶ ଖାନ୍ନାଙ୍କ ବଡ଼ ବୟାନ- ‘ଜନ ଗଣ ମନ’ ନୁହେଁ, ‘ବନ୍ଦେ ମାତରମ୍’ ହେଉ ଜାତୀୟ ସଙ୍ଗୀତ
ପୁଣି ଚର୍ଚ୍ଚାରେ ‘ଶକ୍ତିମାନ’ ଅଭିନେତା ମୁକେଶ ଖାନ୍ନା । ଏକ ସାକ୍ଷାତକାରରେ ‘ଜନ ଗଣ ମନ’ ବଦଳରେ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ କରାଯାଉ ବୋଲି କରିଛନ୍ତି ଦାବି ।

ନୂଆଦିଲ୍ଲୀ: ‘ଶକ୍ତିମାନ’ ଫେମ୍ ଅଭିନେତା ମୁକେଶ ଖାନ୍ନା ପୁଣିଥରେ ତାଙ୍କ ଏକ ବୟାନକୁ ନେଇ ଚର୍ଚ୍ଚାରେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’କୁ ନେଇ ସେ ନିଜର ମତ ରଖିବା ସହ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ କରାଯିବା ଉଚିତ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ନିଜ ମତ ରଖିବା ସହ ‘ବନ୍ଦେ ମାତରମ୍’ ଉପରେ ନିଜେ କାମ କରୁଥିବା କହିଛନ୍ତି ମୁକେଶ। ତାଙ୍କ ମତରେ, ‘ଜନ ଗଣ ମନ’ ଜାତୀୟ ସଙ୍ଗୀତ ହେବା ଉଚିତ ନୁହେଁ ଏବଂ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ମାନ୍ୟତା ମିଳିବା ଦରକାର। ଅନ୍ୟପକ୍ଷରେ, ‘ବନ୍ଦେ ମାତରମ୍’ର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ମୁକେଶ ଖାନ୍ନା ପ୍ରଶଂସା କରିଛନ୍ତି। ମୁକେଶଙ୍କ କହିବା ଅନୁସାରେ, ‘ବନ୍ଦେ ମାତରମ୍’ ଭାରତୀୟଙ୍କ ଭାବନା ସହ ଗଭୀର ଭାବେ ଜଡ଼ିତ। ସେ ଏହାକୁ ଜାତୀୟ ସଙ୍ଗୀତର ସ୍ଥାନ ଦେବାକୁ ଦାବି କରିଛନ୍ତି। ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ସେ ‘ବନ୍ଦେ ମାତରମ୍’ର ପ୍ରାୟ ସାତ ମିନିଟର ଏକ ସଂସ୍କରଣ ରେକର୍ଡ କରିଛନ୍ତି, ଯାହାକୁ ସେ ଏକ ସ୍ମରଣୀୟ ପ୍ରୟାସ ଭାବେ ଦେଖୁଛନ୍ତି। ମୁକେଶ ଆହୁରି କହିଛନ୍ତି ଯେ ‘ଜନ ଗଣ ମନ’କୁ ଦେଶରୁ ହଟାଇ ତା’ ସ୍ଥାନରେ ‘ବନ୍ଦେ ମାତରମ୍’କୁ ଆଣିବା ଉଚିତ। ସ୍କୁଲ ଓ ବିଭିନ୍ନ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’କୁ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ମଧ୍ୟ ସେ ମତ ରଖିଛନ୍ତି। ରାଷ୍ଟ୍ରଗାନ ଓ ଜାତୀୟ ଗୀତକୁ ନେଇ ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
‘ଜନ ଗଣ ମନ’ ରବୀନ୍ଦ୍ରନାଥ ଠାକୁରଙ୍କ ରଚନା ଏବଂ ଏହାକୁ ଭାରତର ରାଷ୍ଟ୍ରଗାନ ଭାବେ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ୍’କୁ ଭାରତର ଜାତୀୟ ଗୀତର ମାନ୍ୟତା ମିଳିଛି। ୧୯୫୦ ମସିହା ଜାନୁଆରୀ ୨୪ରେ ସଂବିଧାନ ସଭାରେ ‘ଜନ ଗଣ ମନ’କୁ ଭାରତର ରାଷ୍ଟ୍ରଗୀତ ଭାବେ ଗ୍ରହଣ କରାଯାଇଥିଲା ଏବଂ ‘ବନ୍ଦେ ମାତରମ୍’କୁ ସମାନ ସମ୍ମାନ ଓ ମର୍ଯ୍ୟାଦା ସହ ଜାତୀୟ ଗୀତ ଭାବେ ସ୍ୱୀକୃତି ଦିଆଯାଇଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାରେ ଏକ ବଡ଼ ଭୂମିକା ନେଇଥିଲା। ଏହି କାରଣରୁ ଭାରତୀୟ ଇତିହାସ ଓ ସ୍ୱାଧୀନତା ସଂଗ୍ରାମରେ ଏହାର ବିଶେଷ ଗୁରୁତ୍ୱ ରହିଛି।
