‘ଆୱାରାପନ୍ ୨’ର ଦମଦାର ଓପେନିଂ, ପଛରେ ପଡିଲା ‘ବଟୱାରା ୧୯୪୭’
ବକ୍ସ ଅଫିସ୍ ରେ ଆଗକୁ ବଢ଼ୁଛି ‘ଆୱାରାପନ୍ ୨, ଅନ୍ଯପଟେ ସନ୍ନି ଦେଓଲଙ୍କ ‘ବଟୱାରା ୧୯୪୭’ ଦର୍ଶକଙ୍କୁ ସିନେମା ହଲ୍କୁ ଆଣିବାରେ କରୁଛି ସଂଘର୍ଷ ।

ମୁମ୍ବାଇ: ବଲିଉଡ୍ ବକ୍ସ ଅଫିସ୍ରେ ଏଥର ଦେଖିବାକୁ ମିଳିଛି ବଡ଼ ସର୍ପ୍ରାଇଜ୍। ସ୍ୱାଧୀନତା ଦିବସ ସପ୍ତାହରେ ରିଲିଜ୍ ହୋଇଥିବା ‘ଅୱାରାପନ୍ ୨’ ଦମଦାର ପ୍ରଦର୍ଶନ କରି ବ୍ଲକବଷ୍ଟର ଆରମ୍ଭ କରିଛି। ଅନ୍ୟପଟେ ସନ୍ନି ଦେଓଲଙ୍କ ‘ବଟୱାରା ୧୯୪୭’ ଆଶାନୁରୂପ ବ୍ୟବସାୟ କରିପାରିନାହିଁ।
‘ଆୱାରାପନ୍ ୨’ର ଧମାକା
ରିଲିଜ୍ ପୂର୍ବରୁ ‘ଆୱାରାପନ୍ ୨’ର ପ୍ରଥମ ଦିନର କଲେକ୍ସନ୍ ୧୨ରୁ ୧୫ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ଫିଲ୍ମଟି ପ୍ରଥମ ଦିନରେ ୨୩.୪୦ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଦ୍ୱିତୀୟ ଦିନରେ ଆୟ ଆହୁରି ବଢ଼ି ୩୪.୦୯ କୋଟି ଟଙ୍କା ହୋଇଥିଲା। ତିନି ଦିନର ସପ୍ତାହାନ୍ତରେ ଫିଲ୍ମର ମୋଟ କଲେକ୍ସନ୍ ପ୍ରାୟ ୮୩ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମର ବଜେଟ୍ ତୁଳନାରେ ଏହି ଆୟକୁ ବଡ଼ ସଫଳତା ବୋଲି କୁହାଯାଉଛି। ଆସନ୍ତା କିଛି ଦିନରେ ‘ଆୱାରାପନ୍ ୨’ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିପାରେ।
‘ବଟୱାରା ୧୯୪୭’ର ଗତି ଧୀମା
ସନ୍ନି ଦେଓଲ ଓ ରାଜକୁମାର ସନ୍ତୋଷୀଙ୍କ ପୁଣିଥରେ ଏକାଠି ହେବା ଏବଂ ଆମିର ଖାନ୍ଙ୍କ ପ୍ରଯୋଜନା ଯୋଗୁଁ ‘ବଟୱାରା ୧୯୪୭’କୁ ନେଇ ଆଶା ଅଧିକ ଥିଲା। କିନ୍ତୁ ଫିଲ୍ମକୁ ଆଶାନୁରୂପ ପ୍ରାରମ୍ଭିକ ସଫଳତା ମିଳିନାହିଁ। ପ୍ରଥମ ଦିନରେ ଫିଲ୍ମଟି ୫.୨୫ କୋଟି ଟଙ୍କା ଆୟ କରିଥିଲା। ସ୍ୱାଧୀନତା ଦିବସରେ କଲେକ୍ସନ୍ ବଢ଼ି ୧୨.୬୫ କୋଟି ଟଙ୍କା ହୋଇଥିଲା। ତେବେ ରବିବାର ଆୟ ପୁଣି ହ୍ରାସ ପାଇ ୭ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଥିଲା। ଏହା ସହିତ ପ୍ରଥମ ସପ୍ତାହରେ ‘ବଟୱାରା ୧୯୪୭’ର ମୋଟ କଲେକ୍ସନ୍ ପ୍ରାୟ ୨୫ କୋଟି ଟଙ୍କା ହୋଇଛି। ଏବେ ଆଗାମୀ ଦିନରେ ଫିଲ୍ମର ବକ୍ସ ଅଫିସ୍ ପରୀକ୍ଷା ଆହୁରି କଠିନ ହେବ ବୋଲି ମନେ କରାଯାଉଛି।
