ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବଡ଼ ଧରଣର ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ।
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବଡ଼ ଧରଣର ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ମଙ୍ଗଳବାର ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ଏକକାଳୀନ କଟକ ଓ କେନ୍ଦ୍ରାପଡ଼ାର ୪ଟି ସ୍ଥାନରେ ରେଡ୍ ଚାଲିଛି। ଭିଜିଲାନ୍ସର ୫ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରୁଛି। ରେଞ୍ଜରଙ୍କ ବାସଭବନ ସମେତ ଅନ୍ୟାନ୍ୟ ସମ୍ପତ୍ତିର ଦସ୍ତାବିଜ, ବ୍ୟାଙ୍କ ଖାତା, ନଗଦ ଅର୍ଥ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି । କଟକର ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି, ମୁଣ୍ଡୁଳିରେ ଥିବା ରବୀନ୍ଦ୍ର ନାୟକଙ୍କ ୪ ମହଲା ବାସଭବନ ଚଢ଼ାଉ । ଏହି କୋଠାର ମାଲିକାନା ଓ ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥର ଉତ୍ସ ନେଇ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ କରୁଛନ୍ତି । ଏହା ସହ ବାଙ୍କୀର ସାହାଡ଼ାପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା କାର୍ଯ୍ୟାଳୟ ଏବଂ ଅସ୍ଥାୟୀ ବାସଭବନରେ ମଧ୍ୟ ତଲାସି ଜାରି ରହିଛି। ଚଢ଼ାଉ କାର୍ଯ୍ୟ ଜାରି ରହିଥିବା ବେଳେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ଏବଂ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଅଭିଯୋଗର ସତ୍ୟତା , ସେନେଇ ତଲାସି ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ସୂଚନା ଦିଆଯିବ ।
