Kalahandi Winter: କଳାହାଣ୍ଡିରେ ଶୀତର ପହିଲି ସ୍ପର୍ଶ
କଳାହାଣ୍ଡି ଜିଲ୍ଲାରେ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ସହ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେଉଛି | ସକାଳୁ ଘନ କୁହୁଡ଼ି ଓ ଘାସପତ୍ରରେ କାକର ବିନ୍ଦୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନୋରମ କରିଛି | ଶୀତଳ ପରିବେଶରେ ଜିଲ୍ଲାବାସୀ ପ୍ରାତଃଭ୍ରମଣ ଓ ବ୍ୟାୟାମର ମଜା ନେଉଥିବା ବେଳେ ପ୍ରକୃତିର ଏହି ନୂଆ ରୂପ ସମସ୍ତଙ୍କୁ ଆକର୍ଷିତ କରୁଛି।
କଳାହାଣ୍ଡି ଜିଲ୍ଲାରୁ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଧୀରେ ଧୀରେ ଅନୁଭୂତ ହେଉଛି ଶୀତର ଆଗମନ। ଗତକାଲିଠାରୁ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତର ହାଲୁକା ଲହରୀ ଅନୁଭୂତ ହୋଇଛି। ଘନ କୁହୁଡ଼ିର ଆସ୍ତରଣ ସାଙ୍ଗକୁ ଘାସପତ୍ର ଉପରେ ଝଲସୁଥିବା କାକର ବିନ୍ଦୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଦେଇଛି। ଅକ୍ଟୋବର ପହିଲାରୁ କଳାହାଣ୍ଡିରେ ଶୀତର ପ୍ରଥମ ସ୍ପର୍ଶ ଅନୁଭୂତ ହୋଇଥିଲା। ତେବେ କିଛି ଦିନ ଧରି ଶୀତର ପ୍ରଭାବ କମିଯାଇଥିବାବେଳେ ଆଜି ପୁଣି ଶୀତର ଆଗମନ ଜିଲ୍ଲାବାସୀଙ୍କ ମନରେ ନୂଆ ଉତ୍ସାହ ଭରିଦେଇଛି। ଶୀତଳ ପରିବେଶ, କୁହୁଡ଼ି ଓ କାକରର ମିଶ୍ରିତ ଅନୁଭୂତି ଜନଜୀବନକୁ ଏକ ନୂଆ ରୂପ ଦେଇଛି।କେବଳ ମଣିଷ ନୁହେଁ, ବୃକ୍ଷଲତା ଓ ପ୍ରାଣୀଜଗତ ମଧ୍ୟ ଏହି ପରିବର୍ତ୍ତିତ ପରିବେଶରେ ନୂଆ ରୂପରେ ଦେଖାଦେଉଛନ୍ତି। ସକାଳର କୁହୁଡ଼ି ଭିତରେ ପ୍ରକୃତିର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି। ଏହାର ଭରପୂର ମଜା ନେଉଛନ୍ତି ଜିଲ୍ଲାବାସୀ।ଶୀତୁଆ ସକାଳରେ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ ଲୋକ ବ୍ୟାୟାମ, ପ୍ରାତଃଭ୍ରମଣ ଓ ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପରେ ନିଜକୁ ସାମିଲ କରୁଛନ୍ତି। ଏହା ସହ ସକାଳର ଶୀତଳ ପବନ ଓ ମନୋରମ ପରିବେଶ ଲୋକଙ୍କୁ ଏକ ନୂଆ ଅନୁଭୂତି ପ୍ରଦାନ କରୁଛି।
ମୌସୁମୀର ବିଦାୟ ସହ ଶୀତର ଆଗମନ କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। କୁହୁଡ଼ିର ଚାଦର ଓ କାକର ବିନ୍ଦୁରେ ସଜେଇ ହୋଇଥିବା ପ୍ରକୃତି ଏବେ ଜିଲ୍ଲାବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।

