ବିପଦ ସଙ୍କେତ ଉପରେ କାଂଶବାଂଶ ନଦୀ, ସୋରରେ ବନ୍ୟା !
ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କାଂଶବାଂଶ ଓ ପିତାକାଳିଆ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। କସବା ବ୍ରିଜ୍ ଗେଜ୍ ସାଇଟରେ କାଂଶବାଂଶ ନଦୀର ଜଳସ୍ତର ୭.୭୨ ମିଟର ରେକର୍ଡ ହୋଇଥିବା ବେଳେ ବିପଦ ସଙ୍କେତ ୭.୫୦ ମିଟର ରହିଛି। ଅର୍ଥାତ୍ ନଦୀ ବର୍ତ୍ତମାନ ୦.୨୨ ମିଟର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଜଳସ୍ତର ଆହୁରି ବଢ଼ୁଛି।
ବାଲେଶ୍ୱର: ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କାଂଶବାଂଶ ଓ ପିତାକାଳିଆ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। କସବା ବ୍ରିଜ୍ ଗେଜ୍ ସାଇଟରେ କାଂଶବାଂଶ ନଦୀର ଜଳସ୍ତର ୭.୭୨ ମିଟର ରେକର୍ଡ ହୋଇଥିବା ବେଳେ ବିପଦ ସଙ୍କେତ ୭.୫୦ ମିଟର ରହିଛି। ଅର୍ଥାତ୍ ନଦୀ ବର୍ତ୍ତମାନ ୦.୨୨ ମିଟର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଜଳସ୍ତର ଆହୁରି ବଢ଼ୁଛି। ନଦୀର ଜଳସ୍ତର ବଢ଼ିବା ଫଳରେ ସୋର ବ୍ଲକର ତଳନଗର ପଞ୍ଚାୟତର ପ୍ରାୟ ୨୫ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ଏଥିସହ ୮ଟି ସ୍କୁଲ ଓ ୧୫ଟି ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି।
ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ନଦୀକୂଳିଆ ଗାଁର ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ସତର୍କତା ଜାରି କରାଯାଇଥିବା ସହ ଲୋକଙ୍କୁ ନଦୀ ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି। ଆଗାମୀ କିଛି ଘଣ୍ଟାରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ଏବଂ ସରକାରୀ ପରାମର୍ଶ ପାଳନ କରିବାକୁ ଅପିଲ କରାଯାଇଛି।
