Flood shelter:ବିପଦ ସଂକୁଳ ବାତ୍ୟା ଆଶ୍ରୟସ୍ଥଳ:ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
ବାତ୍ୟା ଆଶ୍ରୟସ୍ଥଳ ନିଜେ ଖୋଜୁଛି ଆଶ୍ରୟ l ବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ କରାଯାଇଥିଲା ଆଶ୍ରୟସ୍ଥଳ | ହେଲେ କେଉଁଠି ଛାତରୁ ପ୍ଲାଷ୍ଟର ଖସି ରଡ଼ ଦେଖା ଗଲାଣି ତ କେଉଁଠି ଗୃହ ଛିଡା ହୋଇଥିବା ପିଲର ଖୁଣ୍ଟ ମୂଳ ଖାଇ ରଡ଼ ଦେଖାଗଲାଣି l ଆଉ କବାଟ ଝରକା କଥା କିଏ ବା ପଚାରେ l ଜରାଜୀର୍ଣ୍ଣ ଅବସ୍ଥାରେ କୋଠା ଗୁଡିକ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ନୁହେଁ ତ ଆଉ କଣ ?
ସାଲେପୁର/କଟକ:ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ରାଶି ବେୟରେ 1999 ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଙ୍କ ଦ୍ୱାରା ଓଡିଶାର ପ୍ରତି ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ନିର୍ମାଣ କରାଯାଇଥିଲା ବାତ୍ୟା ଆଶ୍ରୟସ୍ଥଳ l ବିଶେଷ କରି ଆଶ୍ରୟସ୍ଥଳ ଗୁଡିକ ବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ କରାଯାଇଥିଲା l ହେଲେ ଦୀର୍ଘଦିନ ହେବ ପ୍ରାୟ ଅର୍ଦ୍ଧାଧିକ ଆଶ୍ରୟସ୍ଥଳ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି l ଏହି ବିପଦ ପୂର୍ଣ୍ଣ ଗୃହ ପାଇଁ ଏବେ ବାଜିରେ ଲାଗିଛି ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କ ଜୀବନ l ଏମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଓଡାସିଂହ ପଞ୍ଚାୟତର, ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର ମଧ୍ୟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ l ନାଁ କୁ ଆଶ୍ରୟସ୍ଥଳ, କିନ୍ତୁ ନିଜେ ଜରାଜୀର୍ଣ୍ଣ ଓ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି l କେଉଁଠି ଛାତରୁ ପ୍ଲାଷ୍ଟର ଖସି ରଡ଼ ଦେଖା ଗଲାଣି ତ କେଉଁଠି ଗୃହ ଛିଡା ହୋଇଥିବା ପିଲର ଖୁଣ୍ଟ ମୂଳ ଖାଇ ରଡ଼ ଦେଖାଗଲାଣି l ଆଉ କବାଟ ଝରକା କଥା ନକହିବା ଭଲ l କାନ୍ଥ ଓ ପିଲର ଖୁଣ୍ଟରେ ଗଛ ଲତା ମାଡିଗଲାଣି l ଏହି ବିପଦପୂର୍ଣ୍ଣ ଗୃହ ପାର୍ଶ୍ଵରେ ରହିଛି ବିଦ୍ୟାଳୟ ର ଏକ ମାତ୍ର ନଳକୂପ l ଯେଉଁଥୁରୁ ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ପାଣି ପିଇବାକୁ ଆସନ୍ତି l ସେହି ସମୟରେ ଗୃହର ଛାତ ଓ ପିଲର ରୁ ପ୍ଳାଷ୍ଟର ଖସି ତଳେ ପଡୁଥିବା ଦୃଶ୍ୟ ପରିଲକ୍ଷିତ ହେଉଛି l ସମସ୍ୟା ଏମିତି ହେଲାଣି ଯେ କେତେବେଳେ ଏହି ବିପଦଜନକ ଗୃହ ଭୁଶୁଡି ପଡିବ ତାହା କହି ହେବ ନାହିଁ l
ଠିକ୍ ସମାନ ସ୍ଥିତି ଦେଖିବାକୁ ମିଳିଛି ଭୀମଦାସପୁର ପଞ୍ଚାୟତର ପ୍ରହରାଜପୁର ପ୍ରାଥମିକ ବିଦ୍ୟାଳୟ ପରିପାଟୀ ମଧ୍ୟରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଠାରେ l ଏହି ଆଶ୍ରୟସ୍ଥଳ ରେ ଗୋରୁ ଗାଈ ବନ୍ଧା ହୋଇଛନ୍ତି l ଏହାକୁ ଲାଗି ରହିଛି ପ୍ରାଥମିକ ବିଦ୍ୟାଳୟ l କୁନି କୁନି ଛାତ୍ର ଛାତ୍ରୀ ମାନେ ଚଳପ୍ରଚଳ କରନ୍ତି l କେତେବେଳେ ଯେ ଦୁର୍ଘଟଣାର ଶିକାର ନ ହେବେ ତାହା କହିହେବ ନାହିଁ l ବିଦ୍ୟାଳୟ କମିଟି, ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଗ୍ରାମବାସୀ ଓ ଅଭିଭାବକ ମାନେ କହିଛନ୍ତି | ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ବାରମ୍ବାର ନିବେଦନ କରୁଛନ୍ତି ଗ୍ରାମବାସୀ l ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏହି ବିପଦପୂର୍ଣ୍ଣ ଗୃହ ଗୁଡିକୁ ଭାଙ୍ଗିବା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଡ଼ିଓ ଲୋପାମୁଦ୍ରା ନାୟକ l ତେବେ ଏବେ କେବଳ ଦେଖିବାକୁ ବାକି ରହିଲା କି କେତେ ତତ୍ପରତା ଦେଖାଉଛି ସ୍ଥାନୀୟ ପ୍ରଶାସନ ଆଉ କବେ ଭଙ୍ଗା ଯିବ ବିପଦପୂର୍ଣ୍ଣ ଗୃହ l
