ରୋଷେୟାଙ୍କୁ ମାଡ଼ ମାରି କେସ୍ ଖାଇଲେ ଆଇପିଏଲ ଷ୍ଟାର ଶଶାଙ୍କ
କିଛି ଦିନ ପରେ ଘରର ପରିବେଶକୁ ଅସହ୍ୟ ମନେ ହେବାରୁ ସେ କାମ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ।କାମ ଛାଡ଼ିବା କଥା କହିବା ପରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିଲା ଏବଂ ଘରୁ ବାହାରକୁ ଯିବାକୁ ଦିଆଯାଇନଥିଲା। ଦ୍ୱାର ଖୋଲିବା ପରେ ଶଶାଙ୍କ ସିଂହ, ତାଙ୍କ ପିତା ଓ ପରିବାରର ଡ୍ରାଇଭର ମିଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି

ରୋଷେୟାଙ୍କୁ ମାଡ଼ ମାରିଲେ, ଗାଳିଗୁଲଜ କଲେ ଓ ମୋବାଇଲ ଛଡ଼େଇନେଲେ ଆଇପିଏଲ ଖେଳାଳୀ ଶଶାଙ୍କ ସିଂ। ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଥିବା କ୍ରିକେଟର ଶଶାଙ୍କ ସିଂହ ଓ ତାଙ୍କ ପିତା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶୈଳେଶ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ଘରେ କାମ କରୁଥିବା ଜଣେ ରୋଷେୟାଙ୍କୁ ମାଡ଼ ମାରିବା, ଅଟକ ରଖିବା ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ରତିବାଡ଼ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।ଅଭିଯୋଗକାରୀ ବିପେନ୍ଦ୍ର ସିଂହ ତୋମରଙ୍କ କହିବା ଅନୁସାରେ, ସେ ୨୫ ଜୁନ୍ ୨୦୨୬ରୁ ଶଶାଙ୍କ ସିଂହଙ୍କ ଘରେ ମାସିକ ୧୫ ହଜାର ଟଙ୍କା ଦରମା, ରହିବା ଓ ଖାଇବା ସୁବିଧାରେ ରୋଷେୟା ଭାବେ କାମ ଆରମ୍ଭ କରିଥିଲେ। କିନ୍ତୁ କିଛି ଦିନ ପରେ ଘରର ପରିବେଶକୁ ଅସହ୍ୟ ମନେ ହେବାରୁ ସେ କାମ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଭିଯୋଗ ଅନୁଯାୟୀ, କାମ ଛାଡ଼ିବା କଥା କହିବା ପରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିଲା ଏବଂ ଘରୁ ବାହାରକୁ ଯିବାକୁ ଦିଆଯାଇନଥିଲା। ଭୟରେ ସେ ନିଜ କୋଠରୀରେ ତାଲା ପକାଇ ରହିଥିଲେ। ପରେ ଶଶାଙ୍କ ସିଂହଙ୍କୁ ଦେଖି ସେ ଭାବିଥିଲେ ଯେ ସମସ୍ୟାର ସମାଧାନ ହେବ, କିନ୍ତୁ ଦ୍ୱାର ଖୋଲିବା ପରେ ଶଶାଙ୍କ ସିଂହ, ତାଙ୍କ ପିତା ଓ ପରିବାରର ଡ୍ରାଇଭର ମିଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ବିପେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ହାତ, ଗୋଇଠା, ଜୋତା ଓ ଲାତରେ ଆକ୍ରମଣ କରାଯାଇଥିଲା, ଯାହାଫଳରେ ସେ ଆହତ ହୋଇଥିଲେ। ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ରତିବାଡ଼ ପୋଲିସ ଶଶାଙ୍କ ସିଂହ, ତାଙ୍କ ପିତା ଶୈଳେଶ ସିଂହ ଏବଂ ପରିବାରର ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ଏଫ୍ଆଇଆର୍ ରୁଜୁ କରିଛି। ଆହତ ରୋଷେୟାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି ଏବଂ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ଶଶାଙ୍କ ସିଂହ କିମ୍ୱା ତାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ କୌଣସି ସାର୍ବଜନିକ ପ୍ରତିକ୍ରିୟା ଆସିନାହିଁ। ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।
