ନାଗପୁରରେ କ୍ଳୋରିନ୍ ଗ୍ୟାସ ଲିକ୍: ୪୦ ଅସୁସ୍ଥ
ମହାରାଷ୍ଟ୍ରର ନାଗପୁର ଗୌଧନୀ ଅଞ୍ଚଳରେ ଅଘଟଣ । ବିଳମ୍ବିତ ରାତିରେ ନାଗପୁରରେ ଜଳ ବିଶୋଧନ କେନ୍ଦ୍ରରୁ କ୍ଳୋରିନ୍ ଗ୍ୟାସ ଲିକ୍, ୪୦ ଜଣ ହସ୍ପିଟାଲରେ ଭର୍ତ୍ତି ।
ନାଗପୁର: ମହାରାଷ୍ଟ୍ରର ନାଗପୁର ଗୌଧନୀ ଅଞ୍ଚଳରେ ବଡ ଅଘଟଣ । ମହାରାଷ୍ଟ୍ର ଜୀବନ ପ୍ରାଧିକରଣର ଜଳ ବିଶୋଧନ କେନ୍ଦ୍ରରୁ କ୍ଳୋରିନ୍ ଗ୍ୟାସ ଲିକ୍ ହୋଇ ପ୍ରାୟ ୪୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମାନକାପୁର ଥାନାର ପୋଲିସଙ୍କ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୨ଟା ୪୫ରେ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍ ଲିକ୍ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇବା ପରେ ପୋଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସର ବିପଦକୁ ଦୃଷ୍ଟିରେ ରଖି ଘଟଣାସ୍ଥଳର ଚାରିପାଖରେ ପ୍ରାୟ ୨୦୦ ମିଟର ଅଞ୍ଚଳକୁ ସୁରକ୍ଷା ପରିଧି ଭାବେ ଚିହ୍ନଟ କରାଯାଇ ବ୍ୟାରିକେଡ୍ ଲଗାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଦମକଳ ବାହିନୀକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା। ଉଦ୍ଧାରକାରୀ ଦଳ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ମିଳି ଗ୍ୟାସ ଲିକ୍ ବନ୍ଦ କରିବା ପାଇଁ ଅଭିଯାନ ଚଳାଇଥିଲେ। ପ୍ରଶାସନର ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୯୦ ପ୍ରତିଶତ ଗ୍ୟାସ ଲିକ୍ ନିୟନ୍ତ୍ରଣ କରାଯାଇଥିଲା। ଗ୍ୟାସ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଅନେକଙ୍କୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ପଠାଯାଇଥିଲା। ଅନ୍ୟ କିଛି ଲୋକ ନିଜେ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରାୟ ୪୦ ଜଣ ଚିକିତ୍ସାଧୀନ ଥିବାବେଳେ, ୧୨ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଗୁରୁତର ଭାବେ ପ୍ରଭାବିତ ୩ରୁ ୪ ଜଣଙ୍କୁ ICUରେ ରଖାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସୂଚନା ମିଳିଛି। ଏହି ଘଟଣାରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ଗ୍ୟାସ ଲିକ୍ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୁରୁଣା କିମ୍ବା ଜଙ୍କ୍ ଲାଗିଥିବା ଯନ୍ତ୍ରପାତି, ଅବହେଳା କିମ୍ବା ଅଧିକ ଚାପ ଯୋଗୁଁ ଏପରି ଘଟିଥାଇପାରେ ବୋଲି ପ୍ରଶାସନ ପ୍ରାଥମିକ ଭାବେ ଅନୁମାନ କରୁଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗ୍ୟାସ ଲିକ୍କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ସହ ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
