ତେଲେଙ୍ଗାନାରେ ଭୟଙ୍କର ବସ୍-ଟ୍ରକ୍ ଦୁର୍ଘଟଣା, ୬ ମୃତ
ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ-ବିଜୟୱାଡ଼ା ରାଜପଥରେ ଦୁର୍ଘଟଣା; ୬ ଜଣଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ; ୩ ଜଣଙ୍କ ଅବସ୍ଥା ଗୁରୁତର।
ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ବୁଧବାର ଭୋରୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। କୋଡାଡ ମଣ୍ଡଳର ଦୋରାକୋଣ୍ଟା ନିକଟରେ ହାଇଦ୍ରାବାଦ-ବିଜୟୱାଡ଼ା ଜାତୀୟ ରାଜପଥରେ ଏକ ଘରୋଇ ଟ୍ରାଭେଲ ବସ୍ ଓ କଣ୍ଟେନର ଲରି ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ଭୋର ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘରୋଇ ଟ୍ରାଭେଲ ବସ୍ଟି ହାଇଦ୍ରାବାଦରୁ ଏଲୁରୁ ଦେଇ ବିଜୟୱାଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ରାଜପଥରେ ବସ୍ଟି ଏକ କଣ୍ଟେନର ଲରିକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ତେବେ ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିଲାବେଳେ ଜଣେ ପୁରୁଷ ଥିଲେ । ଆହତ ପ୍ରାୟ ୧୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବିଜୟୱାଡ଼ା ସ୍ଥାନାନ୍ତର କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ବସ୍ ଧକ୍କା ଦେବା ପୂର୍ବରୁ କଣ୍ଟେନର ଲରିଟି ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ, ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କ ପରିବାର ପ୍ରତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
