ଆଦିବାସୀଙ୍କ ଜୀବନ ସହ ଖେଳ! କଙ୍କଡ଼ାହାଡ଼ରେ ବେଆଇନ କ୍ଲିନିକ
କଙ୍କଡ଼ାହାଡ଼ ଅଞ୍ଚଳରେ ଜଣେ କଥିତ ନକଲି ଡାକ୍ତର ବେଆଇନ କ୍ଲିନିକ ଚଳାଇ ଆଦିବାସୀ ଲୋକଙ୍କ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଛି।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ କଥିତ ନକଲି ଡାକ୍ତରଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁସାରେ, କୀର୍ତ୍ତନପୁର ଗାଁର ପ୍ରମୋଦ କୁମାର ମହାନ୍ତ ଡୋଲିଆ ଛକରେ ଏକ ବେଆଇନ କ୍ଲିନିକ ଚଳାଇ ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ଡାକ୍ତରୀ ଶିକ୍ଷା କିମ୍ବା ବୈଧ ପ୍ରମାଣପତ୍ର ନଥିବା ସତ୍ତ୍ୱେ ସେ ପାଥୋଲ୍ୟାବ ନାମରେ ଔଷଧ ମହଜୁଦ ରଖି ବିଭିନ୍ନ ରୋଗର ଚିକିତ୍ସା କରୁଛନ୍ତି। ଏହା ଫଳରେ ଅଞ୍ଚଳର ସରଳ ଓ ଆଦିବାସୀ ଲୋକମାନଙ୍କ ଜୀବନ ବିପଦରେ ପଡ଼ୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଏଭଳି ବେଆଇନ କ୍ଲିନିକ ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ନଜରକୁ ଆସିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ (SDMO) ଡାକ୍ତର ଦିଗାମ୍ବର ସାହୁ କହିଛନ୍ତି ଯେ, ଅଭିଯୋଗର ସତ୍ୟତା ଯାଞ୍ଚ କରାଯିବ ଏବଂ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ସହ ମାମଲାକୁ ପୋଲିସ ହସ୍ତାନ୍ତର କରାଯିବ। ସ୍ୱାସ୍ଥ୍ୟ ସେବାର ଅଭାବ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଏଭଳି ବେଆଇନ ଚିକିତ୍ସା କାର୍ଯ୍ୟକଳାପ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ଏହା ଉପରେ କେତେ ଶୀଘ୍ର ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
