ଜୀବନ ନେଉଛି ଚାନ୍ଦିପୁରା ଭାଇରସ
ଚାନ୍ଦିପୁରା ଭାଇରସ୍ ଏକ ବିରଳ କିନ୍ତୁ ଅତ୍ୟନ୍ତ ଘାତକ ଭାଇରାଲ୍ ସଂକ୍ରମଣ। ଏହା ପ୍ରଧାନତଃ ୧୫ ବର୍ଷରୁ କମ୍ ବୟସର ଶିଶୁ, ବିଶେଷକରି ୫ ବର୍ଷରୁ କମ୍ ପିଲାମାନଙ୍କୁ ଅଧିକ ପ୍ରଭାବିତ କରେ।ଗୁଜରାଟରେ ୨୨ ପିଲାଙ୍କ ଜୀବନ ନେଇସାରିଲାଣି ଏହି ବିପଜ୍ଜନକ ଭାଇରସ।

ଚାନ୍ଦିପୁରା ଭାଇରସ ନେଉଛି ଜୀବନ। ଗୁଜରାଟରେ ୨୨ ପିଲାଙ୍କ ଜୀବନ ନେଇସାରିଲାଣି ଏହି ବିପଜ୍ଜନକ ଭାଇରସ। ୭ ଶିଶୁ ଏବେ ବି ଚିକିତ୍ସାଧୀନ। ୬ ଜଣ ହେଲେଣି ଡିସଚାର୍ଜ। ଏହି ରୋଗର ନା ନିର୍ଦ୍ଦିଷ୍ଟ ଔଷଧ ଅଛି ନା କୌଣସି ଚିକିତ୍ସା। କେବଳ ଲକ୍ଷଣ ଅନୁସାରେ ଚିକିତ୍ସା କରୁଛନ୍ତି ଡାକ୍ତର। ଗୁଜରାଟରେ ଚଳିତ ବର୍ଷା ଋତୁରେ ଚାନ୍ଦିପୁରା ଭାଇରସ୍ (CHPV) ସଂକ୍ରମଣ ପୁଣିଥରେ ଚିନ୍ତା ବଢ଼ାଇଛି। ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିୟାଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୮୪ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩୫ଟି ମାମଲା ଲ୍ୟାବ୍ ପରୀକ୍ଷାରେ ଚାନ୍ଦିପୁରା ଭାଇରସ୍ ପଜିଟିଭ୍ ବୋଲି ନିଶ୍ଚିତ ହୋଇଛି। ଏହି ସଂକ୍ରମଣରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଶିଶୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚାନ୍ଦିପୁରା ଭାଇରସ୍ ଏକ ବିରଳ କିନ୍ତୁ ଅତ୍ୟନ୍ତ ଘାତକ ଭାଇରାଲ୍ ସଂକ୍ରମଣ। ଏହା ପ୍ରଧାନତଃ ୧୫ ବର୍ଷରୁ କମ୍ ବୟସର ଶିଶୁ, ବିଶେଷକରି ୫ ବର୍ଷରୁ କମ୍ ପିଲାମାନଙ୍କୁ ଅଧିକ ପ୍ରଭାବିତ କରେ। ଏହି ଭାଇରସ୍ ପ୍ରଥମେ ୧୯୬୫ ମସିହାରେ ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଚାନ୍ଦିପୁରା ଗାଁରେ ଚିହ୍ନଟ ହୋଇଥିଲା। ଏହା ସ୍ୟାଣ୍ଡଫ୍ଲାଇ (ବାଲିମାଛି) ମାଧ୍ୟମରେ ବ୍ୟାପିଥାଏ। କେତେକ କ୍ଷେତ୍ରରେ ମଶା ଓ ଟିକ୍ ମାଧ୍ୟମରେ ମଧ୍ୟ ସଂକ୍ରମଣ ହୋଇପାରେ। ମଣିଷରୁ ମଣିଷକୁ ସିଧାସଳଖ ବ୍ୟାପୁଥିବା ପ୍ରମାଣ ମିଳିନାହିଁ। ଏହାର ଲକ୍ଷଣ ହେଉଛି- ହଠାତ୍ ଉଚ୍ଚ ଜ୍ୱର,ବାନ୍ତି, ପ୍ରବଳ ମୁଣ୍ଡବିନ୍ଧା, ଅତ୍ୟଧିକ ଝାଡ଼ା କିମ୍ୱା ଅଚେତ ଅବସ୍ଥା ମସ୍ତିଷ୍କରେ ଏନ୍ସେଫାଲାଇଟିସ୍। ଏହି ଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ୱା ଟିକା ଉପଲବ୍ଧ ନାହିଁ। ରୋଗୀଙ୍କୁ ICU ଚିକିତ୍ସା, ଅକ୍ସିଜେନ୍, ଭେଣ୍ଟିଲେଟର୍, ଶରୀରରେ ତରଳ ପଦାର୍ଥ ଯୋଗାଣ ଭଳି ସହାୟକ ଚିକିତ୍ସା ଦିଆଯାଏ। ଏହାକୁ ମୁକାବିଲା ଲାଗି ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ୟାଣ୍ଡଫ୍ଲାଇ କାମୁଡ଼ାରୁ ବଞ୍ଚିବା ପାଇଁ ମଶାରି ଓ ରିପେଲେଣ୍ଟ ବ୍ୟବହାର କରିବା ଜରୁରୀ। ଘର ଓ ଆଖପାଖ ପରିବେଶ ସଫା ରଖିବା ସହ ବର୍ଷା ଋତୁରେ ଶିଶୁଙ୍କୁ ହଠାତ୍ ଜ୍ୱର, ବାନ୍ତି ଅବା ଝାଡ଼ା ହେଲେ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଉଛି। ସଂକ୍ରମଣକୁ ରୋକିବା ପାଇଁ ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଘରକୁ ଘର ସର୍ଭେ, କୀଟନାଶକ ଛିଞ୍ଚନ ସହ ସଚେତନ କରାଯାଉଛି।
