Diarrhoea Alert: ନବରଙ୍ଗପୁରରେ ଝାଡ଼ାବାନ୍ତି ଓ ଜ୍ୱର ଆତଙ୍କ, ୭ ଜଣ ଡାକ୍ତରଖାନାରେ ଭର୍ତ୍ତି
ନବରଙ୍ଗପୁର କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଓ ଜ୍ୱରରେ ପ୍ରାୟ ୧୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣ ପୂଜାରୀଗୁଡ଼ା CHCରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ ଓ ମୋବାଇଲ୍ ହେଲ୍ଥ୍ ୟୁନିଟ୍ ଗାଁରେ ପହଞ୍ଚି ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ପାନୀୟ ଜଳ ନମୁନା ପରୀକ୍ଷା ସହ ନଳକୂପ କ୍ଲୋରିନେସନ୍ ପାଇଁ ପଦକ୍ଷେପ ନିଆଯାଇଛି।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତୋରା ପଞ୍ଚାୟତ ଅଧୀନ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଓ ଜ୍ୱର ବ୍ୟାପିବା ପରେ ଚିନ୍ତା ବଢ଼ିଛି। ଗାଁରେ ଅସୁସ୍ଥ ଥିବା ୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପୂଜାରୀଗୁଡ଼ା CHCରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁକୁ ଚିକିତ୍ସା ଟିମ୍ ପଠାଯାଇଥିଲା। ପ୍ରାଥମିକ ଭାବେ ପ୍ରାୟ ୧୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୩ ଜଣଙ୍କୁ ଔଷଧ ଦେଇ ଚିକିତ୍ସା କରାଯାଇଥିବା ବେଳେ ୭ ଜଣଙ୍କୁ ପୂଜାରୀଗୁଡ଼ା CHCକୁ ରେଫର୍ କରାଯାଇଥିଲା। ପୂଜାରୀଗୁଡ଼ା CHCର ମେଡିକାଲ ଅଫିସର ଡା. ପତିତପାବନ ଦ୍ୱିବେଦୀଙ୍କ ତତ୍ତ୍ୱାବଧାନରେ ଏହି ୭ ଜଣଙ୍କ ଚିକିତ୍ସା ଚାଲିଛି। ଏପଟେ ଗାଁରେ ସ୍ଥିତି ଅନୁଧ୍ୟାନ ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ ଓ ମୋବାଇଲ୍ ହେଲ୍ଥ୍ ୟୁନିଟ୍ ପହଞ୍ଚିଛି। ଟିମ୍ ପକ୍ଷରୁ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଘଟଣାର ସମ୍ଭାବ୍ୟ କାରଣ ଜାଣିବା ପାଇଁ ଗାଁର ପାନୀୟ ଜଳ ଉତ୍ସରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଏଥିସହ ଗାଁର ନଳକୂପଗୁଡ଼ିକର କ୍ଲୋରିନେସନ୍ ପାଇଁ ଜଳ ଓ ପରିମଳ ବିଭାଗକୁ ଅବଗତ କରାଯାଇଛି। ପାନୀୟ ଜଳ ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିର ସମ୍ଭାବ୍ୟ କାରଣ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ। ଅନ୍ୟପଟେ, ଗାଁର ଜଣେ ୮ ବର୍ଷର ଶିଶୁ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଦାବି କରିଛନ୍ତି। ଶିଶୁକୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିପାରିନଥିବା ଏବଂ ରାସ୍ତା ଖରାପ ଥିବାରୁ ସମସ୍ୟା ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହି ମୃତ୍ୟୁର କାରଣ ସମ୍ପର୍କରେସ୍ପଷ୍ଟତା ମିଳିନାହିଁ। ଘଟଣା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଅବଗତ କରାଯିବା ପରେ ADMO ନବରଙ୍ଗପୁର ଡା. ମଳୟ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲାସ୍ତରୀୟ ରେସ୍ପନ୍ସ ଟିମ୍ ମଧ୍ୟ ଗାଁକୁ ପଠାଯାଉଛି। ସ୍ଥିତିର ସମ୍ପୂର୍ଣ୍ଣ ଅନୁଧ୍ୟାନ ସହ ଆବଶ୍ୟକ ଚିକିତ୍ସା ଓ ପ୍ରତିଷେଧକ ପଦକ୍ଷେପ ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁର ସ୍ଥିତି ଉପରେ ନଜର ରଖିଥିବା ବେଳେ ପାନୀୟ ଜଳ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ରୋଗ ବ୍ୟାପିବାର ସମ୍ଭାବ୍ୟ କାରଣ ସ୍ପଷ୍ଟ ହେବ ବୋଲି ମେଡିକାଲ ଅଫିସର କହିଛନ୍ତି।
