Covid New Variant:କେତେ ମାରାତ୍ମକ କୋଭିଡର ନୂଆ ଭାରିଆଣ୍ଟ
ଗବେଷଣାରେ ଦେଖାଯାଇଛି ଯେ,PJ.2.1ରେ ଅଧିକ ଜେନେଟିକ୍ ମ୍ୟୁଟେସନ୍ ରହିଛି। ଏହା ମଣିଷ କୋଷର ACE2 ରିସେପ୍ଟର ସହ ଅଧିକ ପ୍ରଭାବଶାଳୀ ଭାବେ ଯୋଡ଼ି ହୋଇପାରେ। ପରୀକ୍ଷାଗାରରେ କେତେକ କୋଷରେ ପ୍ରବେଶ କରିବାର କ୍ଷମତା ଅଧିକ ଦେଖାଯାଇଛି।କିନ୍ତୁ ପରୀକ୍ଷା କରାଯାଇଥିବା ଭ୍ୟାକ୍ସିନ୍ଜନିତ ଆଣ୍ଟିବଡିକୁ ଏହା ବ୍ୟାପକ ଭାବେ ଏଡ଼ାଇ ପାରୁଛି ବୋଲି ପ୍ରମାଣ ମିଳିନାହିଁ

ପୁଣି ଚିନ୍ତା ବଢ଼ାଇଲା କରୋନା ଭାଇରସ୍! ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍ର ନୂଆ ଭାରିଆଣ୍ଟ PJ.2.1 ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନଜର ଏହା ଉପରେ ରହିଛି। କାନାଡାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ଆମେରିକା, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଫ୍ରାନ୍ସ, ସ୍ପେନ୍ ଏବଂ ଅନ୍ୟ କିଛି ଦେଶରେ ମଧ୍ୟ ଦେଖାଯାଇଛି।ଏହି ନୂଆ ଭାରିଆଣ୍ଟରେ ଅନେକ ଜେନେଟିକ୍ ପରିବର୍ତ୍ତନ ଥିବାରୁ ଏହା ଉପରେ ଗବେଷଣା ଚାଲିଛି। ତେବେ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ କିମ୍ୱା ଅଧିକ ମୃତ୍ୟୁର କାରଣ ପାଲଟିବ କି ନାହିଁ, ତାକୁ ନେଇ ଚାଲିଛି ପରୀକ୍ଷାନିରୀକ୍ଷା।
କ'ଣ ଏହି ନୂଆ PJ.2.1 ଭାରିଆଣ୍ଟ?
PJ.2.1 ହେଉଛି SARS-CoV-2 ଭାଇରସ୍ର ଏକ ନୂଆ ବଂଶ ବା ଲିନିଏଜ୍। ଏହି ଭାଇରସ୍ ହିଁ କୋଭିଡ୍-୧୯ ରୋଗ ସୃଷ୍ଟି କରେ। Journal of Infection ଗବେଷଣା ଅନୁସାରେ: ପ୍ରଥମ ନମୁନା ୨ ମେ ୨୦୨୬ରେ କାନାଡାର ଅଣ୍ଟାରିଓରେ ଚିହ୍ନଟ ହୋଇଥିଲା। ଏହା MC.10.1.7 ଲିନିଏଜ୍ରୁ ଉତ୍ପନ୍ନ ହୋଇଛି। ଏହାର ସମ୍ପର୍କ ପୂର୍ବରୁ ପ୍ରସାରିତ JN.1 ଭାରିଆଣ୍ଟ ସହ ରହିଛି। ଏହାର ସ୍ପାଇକ୍ ପ୍ରୋଟିନ୍ରେ ଅନେକ ଜେନେଟିକ୍ ପରିବର୍ତ୍ତନ ଦେଖାଯାଇଛି। ଏହାକୁ ବୈଜ୍ଞାନିକମାନେ 'Saltation Variant' ବୋଲି ବର୍ଣ୍ଣନା କରିଛନ୍ତି। ଅର୍ଥାତ୍ ଭାଇରସ୍ରେ ଅଳ୍ପ ଅଳ୍ପ ପରିବର୍ତ୍ତନ ବଦଳରେ ଏକାଥରେ ଅନେକ ଜେନେଟିକ୍ ପରିବର୍ତ୍ତନ ଦେଖାଯାଇଛି।
କେଉଁ କେଉଁ ଦେଶରେ ଚିହ୍ନଟ ହୋଇଛି?
କାନାଡାରେ ପ୍ରଥମେ ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ବିଭିନ୍ନ ଦେଶରେ ଚିହ୍ନଟ ହୋଇଛି। ପ୍ରମୁଖ ଦେଶଗୁଡ଼ିକ ହେଲେ କାନାଡା, ଆମେରିକା,ସିଙ୍ଗାପୁର, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇସ୍ରାଏଲ, ଫ୍ରାନ୍ସ ଓ ସ୍ପେନ୍। କାନାଡାର ଅଣ୍ଟାରିଓରେ ଜିନୋମିକ୍ ସର୍ଭେଲାନ୍ସ ଅନୁସାରେ, ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୭, ୨୦୨୬ ମଧ୍ୟରେ ସିକ୍ୱେନ୍ସିଂ ହୋଇଥିବା କୋଭିଡ୍ ନମୁନାର ୨୫.୨ ପ୍ରତିଶତ PJ.2.1 ଥିଲା। ଏହା ପୂର୍ବ ଚାରି ସପ୍ତାହରେ ୧୬.୯ ପ୍ରତିଶତ ଥିଲା। ଏହା ଭାରିଆଣ୍ଟର ବୃଦ୍ଧିକୁ ଦର୍ଶାଉଛି।
ଏହି ଭାରିଆଣ୍ଟର ଲକ୍ଷଣ କ'ଣ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ PJ.2.1ର ଲକ୍ଷଣ ସାଧାରଣ ଥଣ୍ଡା, ଜ୍ୱର ଓ ଫ୍ଲୁ ଭଳି ହୋଇପାରେ। ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା:ଜ୍ୱର ଓ ଥଣ୍ଡା ଲାଗିବା। ଗଳାରେ ଯନ୍ତ୍ରଣା ବା ଗଳା ଦରଜ। ଶୁଖିଲା କାଶ, ନାକରୁ ପାଣି ବୋହିବା, ନାକ ବନ୍ଦ ହୋଇଯିବା, ମୁଣ୍ଡ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଅଧିକ ଥକାପଣ ଓ ଦୁର୍ବଳତା, ନିଶ୍ୱାସ ନେବାରେ କଷ୍ଟ ଓ କେତେକ କ୍ଷେତ୍ରରେ ବାନ୍ତି ଓ ଝାଡ଼ା। ତେବେ ଏହି ଲକ୍ଷଣଗୁଡ଼ିକ କେବଳ PJ.2.1 ପାଇଁ ନିର୍ଦ୍ଦିଷ୍ଟ ନୁହେଁ। ଅନ୍ୟ ଶ୍ୱାସଜନିତ ସଂକ୍ରମଣରେ ମଧ୍ୟ ଏଭଳି ଲକ୍ଷଣ ଦେଖାଯାଇପାରେ।
ପୂର୍ବ କୋଭିଡ୍ ଭାରିଆଣ୍ଟଠାରୁ ଏହା କେତେ ଭିନ୍ନ?
ଏହି ନୂଆ ଭାରିଆଣ୍ଟକୁ ନେଇ ବୈଜ୍ଞାନିକମାନଙ୍କର ମୁଖ୍ୟ ଚିନ୍ତା ହେଉଛି ଏହାର ସ୍ପାଇକ୍ ପ୍ରୋଟିନ୍ରେ ହୋଇଥିବା ପରିବର୍ତ୍ତନ। ସ୍ପାଇକ୍ ପ୍ରୋଟିନ୍ ହେଉଛି ଭାଇରସ୍ର ସେହି ଅଂଶ, ଯାହା ମଣିଷ ଶରୀରର କୋଷ ସହ ଯୋଡ଼ି ହୋଇ ସଂକ୍ରମଣ କରିବାରେ ସାହାଯ୍ୟ କରେ। ଗବେଷଣାରେ ଦେଖାଯାଇଛି ଯେ,PJ.2.1ରେ ଅଧିକ ଜେନେଟିକ୍ ମ୍ୟୁଟେସନ୍ ରହିଛି। ଏହା ମଣିଷ କୋଷର ACE2 ରିସେପ୍ଟର ସହ ଅଧିକ ପ୍ରଭାବଶାଳୀ ଭାବେ ଯୋଡ଼ି ହୋଇପାରେ। ପରୀକ୍ଷାଗାରରେ କେତେକ କୋଷରେ ପ୍ରବେଶ କରିବାର କ୍ଷମତା ଅଧିକ ଦେଖାଯାଇଛି।କିନ୍ତୁ ପରୀକ୍ଷା କରାଯାଇଥିବା ଭ୍ୟାକ୍ସିନ୍ଜନିତ ଆଣ୍ଟିବଡିକୁ ଏହା ବ୍ୟାପକ ଭାବେ ଏଡ଼ାଇ ପାରୁଛି ବୋଲି ପ୍ରମାଣ ମିଳିନାହିଁ। ଅର୍ଥାତ୍ ଏହା ଦ୍ରୁତ ଗତିରେ ବ୍ୟାପିବା ଏବଂ ଅଧିକ ମାରାତ୍ମକ ହେବା ଦୁଇଟି ଅଲଗା କଥା।
ଏହା କେତେ ମାରାତ୍ମକ?
ଏପର୍ଯ୍ୟନ୍ତ ଅଧିକ ମାରାତ୍ମକ ହେବାର ପ୍ରମାଣ ନାହିଁ। କିନ୍ତୁ ଏହାକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପୁଣି କ'ଣ ୨୦୨୦ ଭଳି ମହାମାରୀ ସ୍ଥିତି ଉପୁଜିବ? ଅବଶ୍ୟ ହସ୍ପିଟାଲରେ ଅଧିକ ରୋଗୀ ଭର୍ତ୍ତି ହେଉଥିବାର ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।ପୂର୍ବ ଭ୍ୟାକ୍ସିନ୍ରୁ ମିଳୁଥିବା ସୁରକ୍ଷା କେତେ ପ୍ରଭାବଶାଳୀ, ତାହା ଉପରେ ଅଧିକ ଗବେଷଣା ଆବଶ୍ୟକ।ତେଣୁ ଏହି ଭାରିଆଣ୍ଟକୁ ନେଇ ସତର୍କ ରହିବା ଜରୁରୀ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ।
ଭାରତ ପାଇଁ କେତେ ବିପଦ?
ଭାରତ ପାଇଁ ଏହି ଭାରିଆଣ୍ଟ ଉପରେ ନଜର ରଖିବା ଜରୁରୀ। ବିଶେଷକରି ଭାରତରେ ବୟସ୍କ ବ୍ୟକ୍ତି, ଡାଇବେଟିସ୍ ଓ ଅନ୍ୟ ଦୀର୍ଘକାଳୀନ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବା ଲୋକମାନେ ସତର୍କ ରହିବା ଆବଶ୍ୟକ। ଭାରତରେ କୋଭିଡ୍ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ଜିନୋମିକ୍ ସର୍ଭେଲାନ୍ସ ଓ ଟେଷ୍ଟିଂ ଗୁରୁତ୍ୱପୂର୍ଣ୍ଣ।
WHO କ'ଣ କହିଛି?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଭିନ୍ନ କୋଭିଡ୍ ଭାରିଆଣ୍ଟର ଜିନୋମିକ୍ ପରିବର୍ତ୍ତନ ଓ ପ୍ରସାର ଉପରେ ନଜର ରଖୁଛି। WHOର ଉପଲବ୍ଧ ଭାରିଆଣ୍ଟ ଡ୍ୟାସବୋର୍ଡରେ XFG, NB.1.8.1, PQ.16.1.1 ଏବଂ BA.3.2 ଭଳି ଭାରିଆଣ୍ଟଗୁଡ଼ିକୁ ମନିଟରିଂ କରାଯାଉଛି। ଅକ୍ଟୋବର ୪, ୨୦୨୬ରେ ଶେଷ ହୋଇଥିବା ସପ୍ତାହର ତଥ୍ୟ ଅନୁସାରେ, ବିଶ୍ୱସ୍ତରରେ ସିକ୍ୱେନ୍ସିଂ ହୋଇଥିବା ନମୁନା ମଧ୍ୟରୁ XFGର ଅଂଶ ୫୨ ପ୍ରତିଶତ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, WHOର ଏହି ଉପଲବ୍ଧ ତାଲିକାରେ PJ.2.1କୁ ଏକ ଅଧିକାରିକ Variant of Concern ଭାବେ ଘୋଷଣା କରାଯାଇଥିବା ଦେଖାଯାଇନାହିଁ।
କିପରି ନିଜକୁ ସୁରକ୍ଷିତ ରଖିବେ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଜନଗହଳିପୂର୍ଣ୍ଣ ଓ ବନ୍ଦ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ। ନିୟମିତ ଭାବେ ହାତ ସଫା ରଖନ୍ତୁ। ଜ୍ୱର, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରହିଲେ କୋଭିଡ୍ ଟେଷ୍ଟ କରାନ୍ତୁ। ଅସୁସ୍ଥ ଥିଲେ ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ।ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ରକ୍ତରେ ଅମ୍ଳଜାନ କମିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ଟିକା ନିଅନ୍ତୁ। ବୟସ୍କ ଓ ଅନ୍ୟ ଉଚ୍ଚ ବିପଦ ଗୋଷ୍ଠୀର ଲୋକମାନେ ଅଧିକ ସତର୍କ ରହିବା ଆବଶ୍ୟକ।
