Cancer Drug Margins:କ୍ୟାନ୍ସର ଔଷଧରେ ୩୦% ଟ୍ରେଡ୍ ମାର୍ଜିନ୍ ସୀମା
କର୍କଟ ଚିକିତ୍ସାର ଖର୍ଚ୍ଚ ଅନେକ ପରିବାରକୁ ଆର୍ଥିକ ସଙ୍କଟକୁ ଠେଲିଦିଏ। ଦୀର୍ଘଦିନ ଯାଏ ଚାଲୁଥିବା କର୍କଟ ଚିକିତ୍ସାରେ ରୋଗୀପାଇଁ ଜମିବାଡ଼ି ବିକ୍ରିକରି ଔଷଧ ପଥି କିଣିଥାନ୍ତି ଘରଲୋକେ | ତେବେ ଔଷଧ ମୂଲ୍ୟରେ ହ୍ରାସ ନେଇ କେନ୍ଦ୍ରର ଏକ ନିଷ୍ପତ୍ତି ଆଶା ସଞ୍ଚାର କରିଛି। କିନ୍ତୁ ରୋଗୀଙ୍କୁ ଏହାର ପ୍ରକୃତ ଲାଭ କେତେ ମିଳିବ ?
ନୂଆଦିଲ୍ଲୀ : କର୍କଟ ରୋଗୀଙ୍କୁ ଆଶ୍ୱସ୍ତି ଦେବାପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। କର୍କଟ ରୋଗୀଙ୍କ ପାଇଁ ଔଷଧ ଖର୍ଚ୍ଚ କମାଇବା ଲକ୍ଷ୍ୟରେ ଅଣ-ସୂଚୀଭୁକ୍ତ କର୍କଟ ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସ (ଆଇପିଏ) ଏବଂ ଚିକିତ୍ସା ବିଶେଷଜ୍ଞମାନେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି। ଲାଗୁ ହେବାପରେ ଏହା ଔଷଧ ବିତରଣ ଓ ବିକ୍ରି ଶୃଙ୍ଖଳାରେ ଅତ୍ୟଧିକ ଲାଭ ଉପରେ ନିୟନ୍ତ୍ରଣ ଆଣିବ ବୋଲି ଅନୁମାନ କରାଯାଉଛି |
ଆଇପିଏ ଅନୁଯାୟୀ, ଭାରତରେ ବିଶ୍ୱର ଅନେକ ଦେଶ ତୁଳନାରେ ଔଷଧର ମୂଲ୍ୟ ପ୍ରାୟତଃ କମ୍ ରହୁଛି ଏବଂ ଭାରତୀୟ କମ୍ପାନୀଗୁଡ଼ିକ ଗୁଣବତ୍ତାଯୁକ୍ତ ଓ ସୁଲଭ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ତେବେ,ଏହି ପଦକ୍ଷେପ ରୋଗୀଙ୍କ ସ୍ୱାର୍ଥ ସୁରକ୍ଷା ସହ ବିତରକ ଓ ବିକ୍ରେତାଙ୍କ ପାଇଁ ଯୁକ୍ତିସଙ୍ଗତ ମାର୍ଜିନ୍ ରଖିବାର ସନ୍ତୁଳିତ ଉପାୟ ଭାବେ ପ୍ରମାଣିତ ହେବ ବୋଲି ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସ ଆଶା ରଖିଛି ।
ଏମ୍ସ ଦିଲ୍ଲୀର ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଏମ୍ଡି ରେ କହିଛନ୍ତି, ଔଷଧ ଦାମ୍ କମିଲେ ରୋଗୀପାଇଁ ଅପରେସନ୍ ପୂର୍ବ ଓ ପରବର୍ତ୍ତୀ ଚିକିତ୍ସା ନେବା ସହଜ ହେବ ଏବଂ ଅଧିକ ଖର୍ଚ୍ଚ ଯୋଗୁଁ ଚିକିତ୍ସା ଅଧାରେ ଛାଡ଼ିବା ଘଟଣା ମଧ୍ୟ କମିଯିବ। ତେବେ ୭୦ ପ୍ରତିଶତ ଯାଏଁ ଦାମ୍ କମିବା ସବୁ ଔଷଧରେ ନିଶ୍ଚିତ ନୁହେଁ ବୋଲି ସେ ସତର୍କ କରିଛନ୍ତି।
ଏମ୍ସର ରେଡିଏସନ୍ ଅଙ୍କୋଲୋଜି ସହକାରୀ ପ୍ରଫେସର ଡାକ୍ତର ଅଭିଷେକ ଶଙ୍କରଙ୍କ କହିବା ଅନୁଯାୟୀ, ସରକାରଙ୍କର କ୍ୟାନ୍ସର ଔଷଧରେ ଟ୍ରେଡ୍ ମାର୍ଜିନ୍ ସୀମା ନିର୍ଦ୍ଧାରଣ କରିବା ନିଶ୍ଚିତ ଭାବରେ ଭାରତରେ କ୍ୟାନ୍ସର ଚିକିତ୍ସାକୁ ସୁବିଧାଜନକ ଓ ନ୍ୟାୟସଙ୍ଗତ କରିବାରେ ସାହାର୍ଯ୍ୟ କରିବ | ଔଷଧରେ ପ୍ରସ୍ତାବିତ ୭୦ ପ୍ରତିଶତ ଯାଏଁ ଦାମ୍ କମିଲେ ରୋଗୀମାନଙ୍କୁ ଆଶ୍ବସ୍ତି ମିଳିବାସହ ସେମାନଙ୍କ ଅତ୍ୟଧିକ ଖର୍ଚ୍ଚ ମଧ୍ୟ କମିଯିବ | ତେବେ, ଏହି ପଦକ୍ଷେପକୁ ପ୍ରକୃତରେ ରୋଗୀଙ୍କ ପାଇଁ ଉପଯୋଗୀ କରିବାକୁ ହେଲେ ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା,ସ୍ୱଚ୍ଛ ମୂଲ୍ୟ,ନିୟମିତ ତଦାରଖ ଏବଂ ଅବିଚ୍ଛିନ୍ନ ଯୋଗାଣ ଅତି ଆବଶ୍ୟକ ବୋଲି କହିଛନ୍ତି ଡ଼ଃ . ଶଙ୍କର |
ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସର ସିଇଓ ନିଖିଲ୍ କେ. ମସୁରକର ମଧ୍ୟ ଏହାକୁ ରୋଗୀ-କେନ୍ଦ୍ରିକ ନିଷ୍ପତ୍ତି କହିଛନ୍ତି। ତଥାପି, ମାର୍ଜିନ୍ ସୀମା ମାତ୍ରରେ ସବୁ ଦାମୀ ପେଟେଣ୍ଟ୍ ଔଷଧ ସୁଲଭ ହେବ ବୋଲି ନିଶ୍ଚିତ କୁହାଯାଇପାରିବ ନାହିଁ। ତେବେ,ଔଷଧ ମୂଲ୍ୟ ନିୟନ୍ତ୍ରକ ସଂସ୍ଥାର ତଥ୍ୟ ଅନୁସାରେ, କେତେକ ଅଣ-ସୂଚୀଭୁକ୍ତ କର୍କଟ ଔଷଧରେ ବିତରଣ ମାର୍ଜିନ୍ ହାରାହାରି ୧୭୦ ପ୍ରତିଶତ ଥିବାବେଳେ କିଛି କ୍ଷେତ୍ରରେ ଏହା ୭୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା। ନୂଆ ବ୍ୟବସ୍ଥାରେ ପ୍ରାୟ ୧୧୦ଟି ଔଷଧର ମୂଲ୍ୟ କମିପାରେ ଏବଂ ରୋଗୀଙ୍କ ବାର୍ଷିକ ଖର୍ଚ୍ଚ ପ୍ରାୟ ୨,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଞ୍ଚିପାରେ ବୋଲି ଆକଳନ କରାଯାଇଛି। ୨୦୧୯ରେ ମଧ୍ୟ ୪୨ଟି ଅଣ-ସୂଚୀଭୁକ୍ତ କର୍କଟ ଔଷଧରେ ଏଭଳି ମାର୍ଜିନ୍ ସୀମା ଲାଗୁ ହୋଇଥିଲା। ଏବେ ସମସ୍ତଙ୍କ ନଜର ଏହି ପଦକ୍ଷେପର ସଫଳ କାର୍ଯ୍ୟକାରିତା ଉପରେ।
