Winter-Heart-Health:ଶୀତରେ ବଢ଼ୁଛି ହୃଦ୍ଘାତ ଆଶଙ୍କା
ଶୀତ ଆସିବାକୁ ନ ଆସିବାକୁ ଆମର ପ୍ଲାନିଂ ଆରମ୍ଭ ହୋଇଯାଏ। ପରିବାର ଓ ସାଙ୍ଗସାଥୀଙ୍କ ସହ ବୁଲାବୁଲି, ବଣଭୋଜି, ଆଉ ବରଫ ଭିତରେ ବଲିଉଡ୍ ପୋଷ୍ଟର ଭଳି ଫଟୋ ଉଠାଇବାର ସ୍ୱପ୍ନ—ଶୀତକୁ ନେଇ ଏମିତି ଅନେକ ଯୋଜନା ଥାଏ। ଛୋଟ ପିଲାଙ୍କ ପାଇଁ ଶୀତ ଛୁଟି ଯେତିକି ମଜାଦାର, ବୟସ୍କ ଲୋକଙ୍କ ପାଇଁ, ବିଶେଷକରି ଜେଜେବାପା ଓ ଜେଜେମା’ଙ୍କ ପାଇଁ, ଏହି ଋତୁ ସେତିକି ସତର୍କତା ମାଗେ। କାରଣ ଶୀତର ମୃଦୁ ଥଣ୍ଡା ପରିବେଶ ଯେତିକି ଆରାମଦାୟକ ଲାଗେ, ଶରୀର ଭିତରେ ଏହା ହୃଦୟ ଉପରେ ସେତିକି ଚାପ ପକାଇପାରେ। ଆମେ ସାଧାରଣତଃ ଏହି ସମୟରେ ଗରମ ପୋଷାକ, ଚା’ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେଉ, କିନ୍ତୁ ହୃଦୟର ଯତ୍ନ ନେବା ମଧ୍ୟ ସମାନ ଭାବେ ଜରୁରୀ। ଥଣ୍ଡା ଯୋଗୁଁ ରକ୍ତନଳୀ ସଙ୍କୁଚିତ ହେବା, ରକ୍ତଚାପ ବଢ଼ିବା ଏବଂ ହୃଦୟ ଉପରେ ଅଧିକ ଚାପ ପଡ଼ିବା ଭଳି ପରିବର୍ତ୍ତନ ଦେଖାଦେଇପାରେ। ଏହା ହୃଦ୍ରୋଗୀଙ୍କ ପାଇଁ ବିପଦ ବଢ଼ାଇପାରେ। ତେଣୁ ଶୀତର ମଜା ନେବା ସହ ହୃଦୟର ସୁରକ୍ଷା ପ୍ରତି ମଧ୍ୟ ରହିବା ଜରୁରୀ ସତର୍କ।
ଶୀତ ଆସିଲେ ସକାଳର ଥଣ୍ଡା ପବନ, କୁହୁଡ଼ି ଆଉ ଗରମ ଚା’ର ମଜା ନିଆରା। ହେଲେ ଏହି ଥଣ୍ଡା ପାଗ କେବଳ ଆମ ଦୈନନ୍ଦିନ ଜୀବନକୁ ନୁହେଁ, ବାହାରର ତାପମାତ୍ରା ଆଭ୍ୟନ୍ତରୀଣ ଶରୀରକୁ ମଧ୍ୟ ପ୍ରଭାବିତ କରିଥାଏ | ଯେମିତିକି ରକ୍ତ ସଞ୍ଚାଳନ ଆଉ ହୃଦୟର ସଂକୋଚନ ଓ ପ୍ରସାରଣ କାମ | ଏପରିକି ସାମାନ୍ୟ ତାପମାତ୍ରା ହ୍ରାସ ମଧ୍ୟ ଶରୀରରେ କିଛି ଶାରୀରିକ ପରିବର୍ତ୍ତନ ଆଣି ହୃଦୟ ଉପରେ ଅଧିକ ଚାପ ପକାଇଥାଏ।ବିଶେଷକରି ଯେଉଁମାନଙ୍କର ପୂର୍ବରୁ ହୃଦ୍ରୋଗ, ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ରହିଛି, ସେମାନେ ଏହି ସମୟରେ ଟିକେ ଅଧିକ ସତର୍କ ରହିବା ଦରକାର।
କଥା ହେଉଛି, ଶୀତରେ ଶରୀର ନିଜକୁ ଗରମ ରଖିବାକୁ ଚେଷ୍ଟା କରେ। ଏଥିପାଇଁ ରକ୍ତନଳୀ ସଙ୍କୁଚିତ ହୋଇଯାଏ। ଏହାକୁ ଭାସୋକନ୍ଷ୍ଟ୍ରିକ୍ସନ୍ କୁହାଯାଏ। ଫଳରେ ରକ୍ତଚାପ ବଢ଼ିପାରେ ଏବଂ ହୃଦୟକୁ ରକ୍ତ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ। ତା’ ସହିତ ଶୀତଦିନେ ଶୋଷ କମ୍ ଲାଗୁଥିବାରୁ ଅନେକେ ପାଣି କମ୍ ପିଅନ୍ତି। ଶରୀରରେ ଜଳୀୟ ଅଂଶ କମିଲେ ରକ୍ତ ଅଧିକ ଘନ ହୋଇପାରେ।ଏହା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ାଇଥାଏ ଓ ଏସବୁ କାରଣ ହୃଦ୍ରୋଗୀଙ୍କ ପାଇଁ ବିପଦ ବଢ଼ାଇପାରେ।
ତେବେ ଏହାର ଅର୍ଥ ନୁହେଁ ଯେ ଶୀତ ଆସିଲେ ସମସ୍ତଙ୍କୁ ହାର୍ଟ ଆଟାକ୍ ହେବ। କିନ୍ତୁ ଯେଉଁମାନଙ୍କର ପୂର୍ବରୁ ହୃଦ୍ରୋଗ ରହିଛି, ବୟସ ଅଧିକ, ରକ୍ତଚାପ କିମ୍ବା ମଧୁମେହ ଅଛି, ସେମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଶୀତଦିନେ ସକାଳୁ ହଠାତ୍ ଦ୍ରୁତ ଗତିରେ ଚାଲିବା, ଦୌଡ଼ିବା କିମ୍ବା କଠିନ ବ୍ୟାୟାମ କରିବା ମଧ୍ୟ ହୃଦୟ ଉପରେ ଚାପ ପକାଇଥାଏ। ତେଣୁ ହଠାତ୍ ଜୋର୍ରେ ବ୍ୟାୟାମ କରିବା କିମ୍ବା ଶରୀରକୁ ଅଭ୍ୟସ୍ତ ନଥିବା ଭାରି କାମ କରିବା ଏଡ଼ାଇବା ଭଲ। ଥଣ୍ଡା ଯୋଗୁଁ ରକ୍ତନଳୀ ପୂର୍ବରୁ ସଙ୍କୁଚିତ ଥିବା ବେଳେ ହଠାତ୍ ଶାରୀରିକ ପରିଶ୍ରମ ହୃଦୟର ଅମ୍ଳଜାନ ଆବଶ୍ୟକତା ବଢ଼ାଇଦିଏ। ଏହା ସହ ଧମନୀରେ ପୂର୍ବରୁ ଥିବା ଚର୍ବିଜାତୀୟ ପ୍ଲାକ୍ ଫାଟି ରକ୍ତ ଜମାଟ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥାଏ। ଓଡ଼ିଶାରେ ମଧ୍ୟ ଶୀତଦିନେ ହୃଦ୍ରୋଗୀଙ୍କ ପ୍ରତି ସତର୍କତା ଜରୁରୀ। ବିଶେଷକରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଭଳି ଶୀତ ଅଧିକ ଅନୁଭୂତ ହେଉଥିବା ଅଞ୍ଚଳରେ ବୟସ୍କ ଓ ହୃଦ୍ରୋଗୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ।
ଶୀତରେ ହୃଦ୍ଘାତର ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା
ହାର୍ଟ ଆଟାକ୍ର କିଛି ଲକ୍ଷଣକୁ କେବେ ବି ହାଲୁକା ଭାବେ ନିଅନ୍ତୁନି। ଛାତିରେ ଯନ୍ତ୍ରଣା କିମ୍ବା ଚାପ ଅନୁଭବ ହେବା, ଅଧିକ ଝାଳ ବୋହିବା, ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ ଯନ୍ତ୍ରଣା ବାମ ହାତ, ବେକ, ଜହ୍ନ କିମ୍ବା ପିଠିକୁ ବ୍ୟାପିବା ହୃଦ୍ଘାତର ଲକ୍ଷଣ ହୋଇପାରେ। ମହିଳା ଓ ବୟସ୍କଙ୍କ କ୍ଷେତ୍ରରେ ବେଳେବେଳେ ଅସ୍ୱାଭାବିକ ଥକ୍କାପଣ, ଶ୍ୱାସକଷ୍ଟ କିମ୍ବା ବଦହଜମି ଭଳି ଲକ୍ଷଣ ମଧ୍ୟ ଦେଖାଦିଏ। ଏପରି ଲକ୍ଷଣ ଦେଖାଦେଲେ ଅପେକ୍ଷା ନକରି ତୁରନ୍ତ ହସ୍ପିଟାଲ ଯାଆନ୍ତୁ କିମ୍ବା ୧୧୨ ଜରୁରୀକାଳୀନ ସେବାର ସହାୟତା ନିଅନ୍ତୁ। ଏହାକୁ ଗ୍ୟାସ୍ କିମ୍ବା ସାଧାରଣ ଥଣ୍ଡା ଭାବି ଅଣଦେଖା କରିବା ଠିକ୍ ନୁହେଁ।
ଶୀତଦିନେ ହୃଦୟକୁ ସୁରକ୍ଷିତ ରଖିବେ କିପରି?
ତେବେ ସତର୍କ ରହିବା ପାଇଁ ବଡ଼ କିଛି କରିବାକୁ ପଡ଼ିବନି। ଥଣ୍ଡାରେ ବାହାରକୁ ଗଲେ ଗରମ ପୋଷାକ ପିନ୍ଧନ୍ତୁ, ଅତି ସକାଳେ ପ୍ରବଳ ଥଣ୍ଡାରେ ଚାଲିବା କିମ୍ବା ବ୍ୟାୟାମ କରିବା ପରିବର୍ତ୍ତେ, ଟିକିଏ ଖରା ହେବା ପରେ ବ୍ୟାୟାମ କରନ୍ତୁ। ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ହାଲୁକା ଭାବେ ଶରୀରକୁ ଗରମ କରିନିଅନ୍ତୁ। ଶୋଷ ନ ଲାଗିଲେ ମଧ୍ୟ ମଝିରେ ମଝିରେ ପାଣି ପିଉଥାନ୍ତୁ। ଯଦି ଡାକ୍ତର ପାଣି ପିଇବା ଉପରେ କଟକଣା ଲଗାଇଛନ୍ତି, ତେବେ ସେହି ପରାମର୍ଶକୁ ମାନନ୍ତୁ। ଖାଦ୍ୟପେୟରେ ମଧ୍ୟ ସତର୍କ ରୁହନ୍ତୁ। ଅଧିକ ଲୁଣ, ତେଲ ଓ ମିଠା ଖାଦ୍ୟ ଖାଇବା କମାଇ ପନିପରିବା, ଫଳମୂଳ ଓ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ଏଥିସହ ନିୟମିତ ରକ୍ତଚାପ, ରକ୍ତଶର୍କରା ଓ କୋଲେଷ୍ଟେରଲ୍ ଯାଞ୍ଚ କରାନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଡାକ୍ତରଙ୍କ ପରାମର୍ଶ ନ ନେଇ ହୃଦ୍ରୋଗ କିମ୍ବା ରକ୍ତଚାପ ପାଇଁ ଖାଉଥିବା ଔଷଧ ନିଜ ଇଚ୍ଛାରେ ବନ୍ଦ କରନ୍ତୁ ନାହିଁ। ମନେ ରଖନ୍ତୁ, ଟିକିଏ ସତର୍କତା ଏବଂ ଠିକ୍ ସମୟରେ ଚିକିତ୍ସା ଅନେକ ବଡ଼ ବିପଦକୁ ଏଡ଼ାଇପାରେ।ତେବେ, ଶୀତ ଋତୁରେ ହୃଦୟର ଯତ୍ନ ନେବା କେବଳ ହୃଦ୍ରୋଗୀଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଜରୁରୀ। ସାମାନ୍ୟ ସତର୍କତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁସ୍ଥ ଜୀବନଶୈଳୀ ହୃଦ୍ଘାତର ବିପଦ କମାଇବାରେ ସହାୟକ ହୋଇପାରେ।
