Student Elections : ୩୪୬ କଲେଜରେ ଭୋଟ୍ ଲଢ଼େଇ, ଛାତ୍ରନେତା ବାଛୁଛନ୍ତି ଭୋଟର
ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ସାହ ଓ ଉତ୍ତେଜନା! ୩୪୬ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬,୮୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଭୋଟ୍। କେଉଁ କ୍ୟାମ୍ପସରେ କିଏ ହେବେ ନୂଆ ଛାତ୍ରନେତା? ସନ୍ଧ୍ୟାରେ ଫଳାଫଳ ଉପରେ ସମସ୍ତଙ୍କ ନଜର |

ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ସହ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି | ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଦିନ ୨ଟା ପର୍ଯ୍ୟନ୍ତ ଚାଲିବ | ମତଦାନ ଶେଷ ହେବା ପରେ ଭୋଟ୍ ଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ କରାଯିବାର ସୂଚନା ରହିଛି। ଆସନ୍ତାକାଲି ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ | ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ | ନିଜ ନିଜ କ୍ୟାମ୍ପସର ଛାତ୍ରନେତା ବାଛିବା ପାଇଁ ଭୋଟ୍ ଦେଉଛନ୍ତି ଛାତ୍ରଛାତ୍ରୀ | ରାଜ୍ୟର ୩୪୬ଟି ମହାବିଦ୍ୟାଳୟ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ୬,୮୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଛାତ୍ର ସଂସଦ ନିର୍ବାଚନରେ ଭାଗ ନେଇଛନ୍ତି | ରାଜଧାନୀ ଭୁବନେଶ୍ୱରରେ ବିଜେପି କଲେଜରେ ଭୋଟ ଦେଲେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ | କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଜେକେବିକେ କଲେଜ ଓ କଟକ ସିଟି କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ମାହୋଲ ସରଗରମ ରହିଛି। ଉତ୍ସାହୀ ଭୋଟର ଓ ଆଶାୟୀ ପ୍ରାର୍ଥୀଙ୍କୁ ନେଇ କ୍ୟାମ୍ପସରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି | ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ମହାବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପରିଚାଳନା ପାଇଁ ସ୍ଥାନୀୟ ତହସିଲଦାର, ଦୁଇ ଜଣ ଆଇଆଇସି ଓ କଲେଜ ଅଧ୍ୟକ୍ଷ ସଜାଗ ରହିଛନ୍ତି। ବୁଥ୍ଗୁଡ଼ିକ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ନେଇ କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି |
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାସ୍ଥିତ ଏସ୍ଏନ୍ କଲେଜରେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ କଲେଜ ପକ୍ଷରୁ ମୋବାଇଲ୍ ଫୋନ୍ ଓ ସ୍ମାର୍ଟୱାଚ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି। କଲେଜ ଫାଟକରେ କଡ଼ା ଯାଞ୍ଚ ସହ କ୍ୟାମ୍ପସ ବାହାରେ ପୋଲିସ ମୁତୟନ କରାଯାଇଛି। ରାଜକନିକା ଅଞ୍ଚଳର ଓଳାଭର କଲେଜରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ସକାଳ ୧୦ଟା ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି | ଆନନ୍ଦପୁର ଉପଖଣ୍ଡର ୬ଟି କଲେଜରେ ନିର୍ବାଚନ ସୁରୁଖୁରୁରେ ଚାଲିଥିବା ବେଳେ ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିବା ସୂଚନା ମିଳିଛି । ଖବର ପାଇ SDPO ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି | ବିଭିନ୍ନ କଲେଜରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିଡିଓ ଓ ତହସିଲଦାରଙ୍କ ସହ ଉପଜିଲ୍ଲାପାଳ ଏବଂ ଏସ୍ଡିପିଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ବାଲେଶ୍ୱର ଜିଲ୍ଲାର ସୋରସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ମଧ୍ୟ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଡ଼ା ଯାଞ୍ଚ ମଧ୍ୟରେ ମତଦାନ ଚାଲିଛି |
ଅନ୍ୟପଟେ, ମୟୂରଭଞ୍ଜ ଜିଲ୍ଲାର ଉଦଳା କଲେଜ ସମ୍ମୁଖରେ ନିର୍ବାଚନ ସମୟରେ ମଧ୍ୟ ବିଭିନ୍ନ ବ୍ୟାନର ଓ ପୋଷ୍ଟର ଲାଗି ରହିଥିବା ଅଭିଯୋଗ ଉଠିଛି। ନିର୍ବାଚନୀ କଟକଣା ଲାଗୁ ହୋଇଥିବା ସତ୍ତ୍ୱେ ଏଗୁଡ଼ିକୁ କାହିଁକି ହଟାଯାଇନାହିଁ, ତାହାକୁ ନେଇ ପ୍ରଶାସନର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।
ସମଗ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଚରମରେ ଥିବା ବେଳେ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏବେ ସମସ୍ତଙ୍କ ନଜର ସନ୍ଧ୍ୟାରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ଉପରେ। କେଉଁ କ୍ୟାମ୍ପସରେ କିଏ ହେବେ ନୂଆ ଛାତ୍ରନେତା, ତାହା ଜାଣିବାକୁ ଛାତ୍ରଛାତ୍ରୀଙ୍କ ସହ ସମସ୍ତଙ୍କ ଅପେକ୍ଷା। ଆସନ୍ତାକାଲି ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ସହ ଶେଷ ହେବ ଏହି ନିର୍ବାଚନୀ ପ୍ରକ୍ରିୟାର ଆଉ ଏକ ପର୍ଯ୍ୟାୟ।
