ଏରସମାରେ ଉତ୍ସାହ ଉଦ୍ଦୀପନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଜାତୀୟ ପତାକା ଉତ୍ତୋଳନ ସହ ଦେଶର ବୀର ସହିଦମାନଙ୍କୁ ସ୍ମରଣ କରାଯାଇଥିଲା।
ଏରସମା: ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶର ବୀର ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ଏରସମା ପଞ୍ଚାୟତ ସମିତି ପରିସରରେ ବିଡିଓ ଦାଶରଥି ଜେନାଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ସିଭିଲ କୋର୍ଟ ଜୁନିଅର ଡିଭିଜନ ପରିସରରେ ବିଚାରପତି ରୋଷଣୀ ବାଳା ସେନାପତି ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।
ଆଞ୍ଚଳିକ ପରିଷଦ ଅଭିଜିତ ସ୍ମାରକ ପାଠାଗାର ଓ ଶାରଳା ଶିଳ୍ପ ତାଲିମ କେନ୍ଦ୍ରରେ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏରସମା ଥାନାରେ ଥାନା ଅଧିକାରୀ ପାର୍ଥ ପ୍ରୀତମ ବେଉରା, ବିଜେଡି କାର୍ଯ୍ୟାଳୟରେ ପୀତବାସ ଗୋଛାୟତ, ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସଭାପତି ପିନାକୀ ନାରାୟଣ ଦାସ ଏବଂ ମକରଧ୍ୱଜ ଶିଳ୍ପ ତାଲିମ କେନ୍ଦ୍ରରେ ମହେଶ୍ୱର ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ। ଏହି ପବିତ୍ର ଅବସରରେ ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ସ୍ମରଣ କରାଯାଇଥିଲା। ଏଥିସହ ଦେଶର ଏକତା, ଅଖଣ୍ଡତା ଓ ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ ସଂକଳ୍ପବଦ୍ଧ ହୋଇଥିଲେ।
