Equality In Justice:କଣ୍ଡକ୍ଟର ହୁଅନ୍ତୁ କି ସଚିବ,ଅଧିକାର ସମାନ : ଜଷ୍ଟିସ ବାଗ୍ଚୀ
ଆଇନ ଆଖିରେ ସବୁ ସମାନ । ରାଜ୍ୟର ମୁଖ୍ୟ ଶାସନ ସଚିବ ହୁଅନ୍ତୁ କିମ୍ବା ଜଣେ ପୂର୍ବତନ ବିଚାରପତି ଏମିତିକି ସାଧାରଣ ବସ୍ କଣ୍ଡକ୍ଟରଟିଏ ମଧ୍ୟ ହେଉ, କୋର୍ଟ ପାହାଚରେ ଏକାସାଙ୍ଗରେ ଛିଡା ହେବେ | ନ୍ୟାୟ ପାଇବା ପାଇଁ କେହି କାହାଠାରୁ ଆଗେଇ ଯାଇପାରିବେ ନାହିଁ । ଜଣେ ପୂର୍ବତନ ଜିଲ୍ଲା ଜଜ୍ଙ୍କୁ ସୁପ୍ରିମ୍ କୋର୍ଟ ଯେଉଁଭଳି ଢଙ୍ଗରେ ସମ୍ବିଧାନର ପାଠ ପଢ଼ାଇଛନ୍ତି, ତାହା ଦେଶର ଆଇନ ବ୍ୟବସ୍ଥାର ଭିଆଇପି ପରମ୍ପରା କୁ ଶକ୍ତ ପ୍ରହାର ।
ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ କୌଣସି ପଦ ପଦବୀ ଦେଖି ପାତରଅନ୍ତର କରେନାହିଁ | ତାହା ପ୍ରମାଣ କରି ଦେଖାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଗତକାଲି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଜଣେ ପୂର୍ବତନ ଜିଲ୍ଲା ଜଜ୍ଙ୍କୁ ଶୀଘ୍ର ଶୁଣାଣିର ସ୍ୱତନ୍ତ୍ର ସୁବିଧା ଦେବାକୁ ସଫା ସଫା ମନା କରିଦେଇଛନ୍ତି । ମାମଲାଟି ଥିଲା ପୂର୍ବତନ ଏସସି/ଏସଟି ଆକ୍ଟ ସ୍ୱତନ୍ତ୍ର ଜଜ୍ ରାକେଶ କୁମାର ନୈନଙ୍କର | ଦୁର୍ନୀତି ଓ କାର୍ଯ୍ୟକ୍ଷେତ୍ରରେ ଅସଦାଚରଣ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରା ବରଖାସ୍ତ ହୋଇଥିଲେ | ନିଜର ଏହି ବରଖାସ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ନୈନ ଆଲ୍ଲାହାବାଦ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଥିଲେ,ଯାହା ଦୀର୍ଘ ଦିନ ହେବ ବିଚାରାଧୀନ ରହିଛି । ହାଇକୋର୍ଟରେ ମାମଲା ବିଳମ୍ବ ହେଉଥିବାରୁ,ନିଜ ମାମଲାର ତୁରନ୍ତ ଓ ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବାକୁ ସେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ,ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଥିଲେ । ହେଲେ ଚୁପ ରହିନଥିଲେ ଆବେଦନକାରୀଙ୍କ ଓକିଲ, ଶୁଣାଣି ସମୟରେ 'ସେ ଜଣେ ସାଧାରଣ ମାମଲାକାରୀ ନୁହନ୍ତି ବରଂ ଜଣେ ପୂର୍ବତନ ବିଚାରପତି',ବୋଲି କହି ଯୁକ୍ତି କରିଥିଲେ | ବାସ,ଏତିକିରେ ବେଶ୍ କ୍ଷୁବ୍ଧ ହୋଇ, "ଆପଣ ଏପରି ଏକ ଯୁକ୍ତି ଉପସ୍ଥାପନ କରୁଛନ୍ତି ଯାହା ସମ୍ବିଧାନର ମୌଳିକ ଧାରଣା ବିରୁଦ୍ଧ ଅଟେ; ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକ, ସେ ଯେକୌଣସି ପଦବୀରେ ଥାଆନ୍ତୁ ନା କାହିଁକି, ନ୍ୟାୟ ପାଇବାର ଅଧିକାର ରଖନ୍ତି। ଆଇନଗତ ସମାଧାନ ପାଇଁ ଜଣେ ବସ୍ କଣ୍ଡକ୍ଟର ହୁଅନ୍ତୁ କିମ୍ବା ରାଜ୍ୟର ଜଣେ ପ୍ରମୁଖ ସଚିବ, ନ୍ୟାୟ ପାଇବାର ସମାନ ଅଧିକାର ରହିଛି। ତେଣୁ, ସାମ୍ବିଧାନିକ ସମାନତା ପରିପ୍ରେକ୍ଷୀରେ, ଆମ ସମ୍ମୁଖରେ ଥିବା ପ୍ରତ୍ୟେକ ଆବେଦନ କ୍ଷେତ୍ରରେ ଯେପର୍ଯ୍ୟନ୍ତ ଆମେ ହାଇକୋର୍ଟଙ୍କ ଦ୍ୱାରା କୌଣସି ଗୁରୁତର ତ୍ରୁଟି, ଅନ୍ୟାୟ କିମ୍ବା ଅସାଧୁତା ସମ୍ପର୍କରେ ନିଶ୍ଚିତ ନ ହୋଇଛୁ, ଆମେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବୁ ନାହିଁ।" ବୋଲି ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ କହିଥିଲେ।
ଖଣ୍ଡପୀଠ ଆହୁରି ସ୍ପଷ୍ଟ ଭାବେ କହିଛନ୍ତି ଯେ, "ଆମେ ଏଭଳି ଆବେଦନକୁ ସମ୍ପୂର୍ଣ୍ଣ ଘୃଣା କରୁ" ଯଦି ଜଣେ ପୂର୍ବତନ ନ୍ୟାୟିକ ଅଧିକାରୀ ବୋଲି ଭୁଲ ସହାନୁଭୂତି ଦେଖାଇ ତାଙ୍କ ମାମଲାକୁ ଆଗ ଧାଡ଼ିକୁ ଅଣାଯାଏ, ତେବେ ଆଲ୍ଲାହାବାଦ ହାଇକୋର୍ଟରେ ବର୍ଷ ବର୍ଷ ଧରି ନିଜ ପାଳିକୁ ଅପେକ୍ଷା କରିଥିବା ସେହି ହଜାର ହଜାର ଗରିବ ଓ ଅସହାୟ ମାମଲାକାରୀଙ୍କ ପ୍ରତି ଅନ୍ୟାୟ ହେବ, ଯେଉଁମାନଙ୍କ ପାଇଁ କୋର୍ଟରେ ପ୍ରଭାବଶାଳୀ ପକ୍ଷ ରଖିବାକୁ କେହି ନାହାନ୍ତି । ତେଣୁ କେବଳ ପଦବୀର ଦ୍ୱାହି ଦେଇ ଲାଇନ୍ ଭାଙ୍ଗି ଆଗକୁ ଆସିବା ର ଭିଆଇପି ହସ୍ତକ୍ଷେପକୁ,ସୁପ୍ରିମ୍ କୋର୍ଟ ବନ୍ଦ କରିବାକୁ ସବୁବେଳେ ଚେଷ୍ଟା କରିବେ ବୋଲି କହିବା ସହ ପୂର୍ବତନ ଜଜ୍ଙ୍କୁ ହାଇକୋର୍ଟରେ ହିଁ ଆବେଦନ କରିବାକୁ ସ୍ୱାଧୀନତା ଦେଇ ମାମଲାକୁ ଖାରଜ କରିଛନ୍ତି ।
