ELEPHANT ATTACK:ହାତୀ ଆକ୍ରମଣରେ ଚାଷୀ ମୃତ
ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଗଲା ଜଣେ ଚାଷୀଙ୍କ ଜୀବନ। ଧାନ ଖେତକୁ ଆସିଥିବା ହାତୀକୁ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ। ମୃତକ ହେଉଛନ୍ତି ବାଦାମପାହାଡ଼ ରେଞ୍ଜ ଟିମ୍ଟିମା ଗ୍ରାମର ୬୦ ବର୍ଷୀୟ ରାମଚନ୍ଦ୍ର ସିର୍କା। ଘଟଣାକୁ ନେଇ ଅଞ୍ଚଳରେ ଶୋକ ସହ ହାତୀ ଉପଦ୍ରବକୁ ନେଇ ଭୟର ବାତାବରଣ ଦେଖାଦେଇଛି।
ମୟୂରଭଞ୍ଜ :ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ। ରାଇରଙ୍ଗପୁର ବନଖଣ୍ଡ ଅଧୀନ ବାଦାମପାହାଡ଼ ରେଞ୍ଜରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଉଛନ୍ତି ଟିମ୍ଟିମା ଗ୍ରାମର ୬୦ ବର୍ଷୀୟ ରାମଚନ୍ଦ୍ର ସିର୍କା।ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଏକ ହାତୀ ଧାନ ଖାଇବା ପାଇଁ ଗ୍ରାମ ନିକଟସ୍ଥ ଧାନ ଖେତକୁ ଆସିଥିଲା। ଏହି ସମୟରେ ହାତୀକୁ ଘଉଡ଼ାଇବାକୁ ଯାଇଥିଲେ ରାମଚନ୍ଦ୍ର। ତେବେ ହଠାତ୍ ହାତୀ ଆକ୍ରମଣର ଶିକାର ହୋଇଥିଲେ ସେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ଘଟଣା ପରେ ଟିମ୍ଟିମା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଅନ୍ୟପଟେ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ବର୍ତ୍ତମାନ ଅଞ୍ଚଳରେ ଛଅଟିକିଆ ହାତୀପଲ ରହିଥିବା ଜଣାପଡ଼ିଛି। ହାତୀ ଉପଦ୍ରବ ରୋକିବା ସହ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି।ଘଟଣାକୁ ନେଇ ବାଦାମପାହାଡ଼ ଥାନାରେ ଅପମୃତ୍ୟୁ ମାମଲା ନମ୍ବର ୨୦/୧୬ ରୁଜୁ ହୋଇଛି।
