ଆମିଷ ଖାଇବାରେ ଓଡ଼ିଶା ଆଗରେ! ବିଧାନସଭାରେ ଆସିଲା ରୋଚକ ତଥ୍ୟ
ଛାଡ଼ଖାଇରେ ବିଧାନସଭାରେ ଓଡ଼ିଶାବାସୀଙ୍କ ଆମିଷ ଖାଇବାକୁ ନେଇ ବଡ଼ ତଥ୍ୟ। ବର୍ଷକୁ ୯.୪୬ ଲକ୍ଷ ମେଟ୍ରିକ ଟନ୍ ମାଛ ଓ ୧୨୨.୩୬ ହଜାର ମେଟ୍ରିକ ଟନ୍ ମଟନ୍ ଖାଉଛନ୍ତି ରାଜ୍ୟବାସୀ।
ଭୁବନେଶ୍ୱର: ଛାଡ଼ଖାଇରେ ଆମିଷ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ। ଏହାରି ଭିତରେ ଓଡ଼ିଶାବାସୀଙ୍କ ଆମିଷ ଖାଇବାକୁ ନେଇ ବିଧାନସଭାରେ ଆସିଛି ରୋଚକ ତଥ୍ୟ। ରାଜ୍ୟରେ ବର୍ଷକୁ କେତେ ପରିମାଣର ମାଛ, ମାଂସ ଓ ଅଣ୍ଡା ଖିଆଯାଉଛି, ସେନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଓଡ଼ିଶାରେ ବର୍ଷକୁ ପ୍ରାୟ ୧୨୨.୩୬ ହଜାର ମେଟ୍ରିକ ଟନ୍ ମଟନ୍ ଖିଆଯାଉଛି। ସେହିପରି ରାଜ୍ୟବାସୀଙ୍କ ବାର୍ଷିକ ମାଛ ଖାଇବା ପରିମାଣ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ୍ ବୋଲି ତଥ୍ୟରେ ଉଲ୍ଲେଖ ରହିଛି। ଅନ୍ୟପଟେ ରାଜ୍ୟରେ ବାର୍ଷିକ କୁକୁଡ଼ା ମାଂସ ଉତ୍ପାଦନ ୧୬୪ ହଜାର ମେଟ୍ରିକ ଟନ୍ ରହିଥିବା ବେଳେ ଅଣ୍ଡା ଉତ୍ପାଦନ ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଛି। ରାଜ୍ୟରେ ପ୍ରାୟ ୬୩ ଲକ୍ଷ ୯୪ ହଜାର ଛେଳି ପାଳନ କରାଯାଉଥିବା ଜଣାପଡ଼ିଛି। ଏଥିସହ ଅନ୍ୟ ରାଜ୍ୟରୁ ଛେଳି ଆମଦାନୀ ହେଉନଥିବା ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଛାଡ଼ଖାଇ ଅବସରରେ ବିଧାନସଭାରେ ଆସିଥିବା ଏହି ତଥ୍ୟ ଏବେ ଆମିଷ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
