No Holiday, Yet School Locked : ପିଲାଙ୍କ ପାଠପଢ଼ା ଛାଡ଼ି ଛାଡ଼ଖାଇ ମଉଜ
ଛାଡ଼ଖାଇ ମଉଜ ପାଇଁ ସ୍କୁଲରେ ତାଲା! ସରକାରୀ ଛୁଟି ନଥାଇ ବି ପ୍ରଧାନ ଶିକ୍ଷକଙ୍କ ଛୁଟି ଘୋଷଣାକୁ ନେଇ ତେଜିଲା ବିବାଦ। ଅଭିଭାବକଙ୍କ ଆନ୍ଦୋଳନ ଚେତାବନୀ!
ଛାଡ଼ଖାଇ ମଉଜ ପାଇଁ ସ୍କୁଲ ବନ୍ଦ, ଶ୍ରେଣୀଗୃହରେ ତାଲା! ସରକାରୀ ଛୁଟି ନଥାଇ ବି ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛୁଟି ଘୋଷଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରଧାନ ଶିକ୍ଷକଙ୍କ ଏଭଳି ମନମୁଖୀ ନିଷ୍ପତ୍ତି ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି କେତେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ତାହାକୁ ନେଇ କ୍ଷୁବ୍ଧ ହୋଇପଡ଼ିଛନ୍ତି ଅଭିଭାବକ। କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନର ଚେତାବନୀ ମଧ୍ୟ ମିଳିଛି। ସରକାରୀ ଛୁଟି ନଥାଇ ବି ମନମୁଖୀ ଭାବେ ସ୍କୁଲ ଛୁଟି ଘୋଷଣା ! ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାଡ଼ଖାଇ ପାଇଁ ଛୁଟି ଘୋଷଣା କରାଯାଇଥିବା ନେଇ ସାମ୍ନାକୁ ଆସିଛି ସଙ୍ଗୀନ ଅଭିଯୋଗ। ସରକାରୀ ତାଲିକାରେ କୌଣସି ଛୁଟି ଘୋଷଣା ହୋଇନଥିବା ବେଳେ ପ୍ରଧାନ ଶିକ୍ଷକ କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ସ୍କୁଲ ଛୁଟି କଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସ୍କୁଲ ପରିସରରେ ଅଳ୍ପ କେତେକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ସମସ୍ତ ଶ୍ରେଣୀଗୃହରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କ ପାଠପଢ଼ା ପ୍ରତି ଏଭଳି ଖାମଖିଆଲ ମନୋଭାବକୁ ବିରୋଧ କରି ଅଭିଭାବକମାନେ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ଆସନ୍ତାକାଲି ସ୍କୁଲ ଆଗରେ ଧାରଣା ଦିଆଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।
