21st Century, Yet Untouchability Still Exists :ଜାତି ପାଇଁ ମନ୍ଦିର ମନା, ପାଠପଢ଼ା ବି ମନା
ମନ୍ଦିରରେ ନାହିଁ ପ୍ରବେଶ ଅଧିକାର, ଅଙ୍ଗନବାଡ଼ିରେ ଶିଶୁଙ୍କୁ ଶିକ୍ଷାରୁ ବଞ୍ଚିତ! ଜାତିଆଣ ଭେଦଭାବର ଅଭିଯୋଗରେ ଜଳୁଛି ଜଡ଼ିବାଲି ଗାଁ !
ଏକବିଂଶ ଶତାବ୍ଦୀରେ ବି ଜାତିଆଣ ଭେଦଭାବରୁ ମୁକ୍ତି ମିଳିନି! ଜାତିଗତ ବିଭେଦକୁ ନେଇ ଅଶାନ୍ତ ହୋଇପଡ଼ିଛି ଗାଁର ପରିବେଶ। କେଉଁଠି ମନ୍ଦିର ପ୍ରବେଶକୁ ନେଇ ବାରଣ ତ ଆଉ କେଉଁଠି କୋମଳମତି ଶିଶୁଙ୍କ ଶିକ୍ଷାଦାନରେ ବାଧା। ଏଭଳି ଏକ ସଙ୍ଗିନ ଜାତିଗତ ଭେଦଭାବର ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଗାଁ' ଜଡ଼ିବାଲିରୁ। ଅଭିଯୋଗ ଅନୁଯାୟୀ, ଗାଁର ଦଳିତ ଓ ନିମ୍ନବର୍ଗର ଲୋକଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ବାରଣ କରାଯାଉଛି। ଏପରିକି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଜାତିଗତ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଛୋଟ ଛୋଟ ଶିଶୁଙ୍କୁ ପାଠ ପଢ଼ିବାରୁ ବଞ୍ଚିତ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।କେବଳ ଏତିକି ନୁହେଁ, ଗାଁର ଦୋଳ ମଣ୍ଡପକୁ ଚାନ୍ଦା ଦେବାକୁ ଯାଇଥିବା ବେଳେ ସେଠାରେ ଶୁଦ୍ଧିକରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗାଁରେ ଅସନ୍ତୋଷ ତୀବ୍ର ହେବା ସହ ଉତ୍ତେଜନା ଦେଖାଦେଇଛି। ଘଟଣା ସମ୍ପର୍କରେ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଛି। ଜାତିଗତ ଭେଦଭାବ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶାସନ କେବେ ହସ୍ତକ୍ଷେପ କରିବ? ଅଭିଯୋଗର ନିରପେକ୍ଷ ତଦନ୍ତ କେବେ ହେବ ଏବଂ ପ୍ରକୃତ ସତ୍ୟ ସାମ୍ନାକୁ କେବେ ଆସିବ? ଏବେ ଏହାକୁ ନେଇ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।
