ବିକାଶର ଚାକଚକ୍ୟ ଭିତରେ ଅବହେଳିତ ଜୀବନ! ଜଙ୍ଗଲରେ ମା’ ଓ ଶିଶୁ, ଗଛ ଉପର ମଞ୍ଚା ପାଲଟିଛି ରାତିର ଆଶ୍ରୟ
ବାଲେଶ୍ୱର ଔପଦା ବ୍ଲକ ଗଡ଼ସାଇ ପଞ୍ଚାୟତରେ ଜଙ୍ଗଲ ଭିତରେ ଛୋଟ ଶିଶୁକୁ ଧରି ରହୁଛନ୍ତି ଜଣେ ମା’। ରାତିରେ ଗଛ ଉପର ମଞ୍ଚାରେ ଆଶ୍ରୟ। କେବେ ମିଳିବ ସୁରକ୍ଷିତ ଘର?
ବାଲେଶ୍ୱର: ବିକାଶର ଚାକଚକ୍ୟ ଭିତରେ ଆଜି ବି ଅନେକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ। ଏହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାଇ ପଞ୍ଚାୟତ ଅନ୍ତର୍ଗତ ପଶ୍ଚିମା ଠାକୁରାଣୀ ନିକଟସ୍ଥ ଜଙ୍ଗଲରୁ। ଜଙ୍ଗଲ ଭିତରେ ଛୋଟ ଶିଶୁକୁ କୋଳରେ ଧରି ଦିନ କାଟୁଛନ୍ତି ଜଣେ ମା’। ଦିନରେ ଜଙ୍ଗଲ ଏବଂ ରାତି ହେଲେ ଗଛ ଉପରେ ତିଆରି ମଞ୍ଚା ପାଲଟିଛି ତାଙ୍କର ଆଶ୍ରୟସ୍ଥଳ। ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ମା’ ଓ ଶିଶୁଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ବିତୁଛି। ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘର ନାହିଁ କି ଜୀବନ ଧାରଣ ପାଇଁ ଆବଶ୍ୟକ ମୌଳିକ ସୁବିଧା ନାହିଁ। ରାତି ହେଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟରେ ଗଛ ଉପରେ ନିର୍ମିତ ମଞ୍ଚାରେ ଆଶ୍ରୟ ନେବାକୁ ପଡ଼ୁଛି। ବାଘ, ଭାଲୁ ଓ ହାତୀ ଭଳି ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟରେ ଜଣେ ମା’ ନିଜ ଶିଶୁକୁ ନେଇ କିଭଳି ଦିନରାତି ଅତିବାହିତ କରୁଛନ୍ତି, ତାହା ଯେକୌଣସି ସମ୍ବେଦନଶୀଳ ମଣିଷଙ୍କୁ ବିଚଳିତ କରିବ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଏଭଳି ଅସୁରକ୍ଷିତ ପରିବେଶରେ ବଢ଼ୁଥିବା ଶିଶୁଟିର ଭବିଷ୍ୟତ କ’ଣ ହେବ? ଅନ୍ୟପଟେ ଗରିବ ଓ ଅସହାୟ ପରିବାରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆବାସ ଯୋଜନା ସମେତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ରହିଛି। ତେବେ ଏହି ପରିବାର ନିକଟରେ ସରକାରୀ ସହାୟତା ପହଞ୍ଚିଛି କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନେ ତୁରନ୍ତ ଏହି ପରିବାରର ସ୍ଥିତି ଅନୁଧ୍ୟାନ କରିବା ସହ ସୁରକ୍ଷିତ ଆଶ୍ରୟ, ଖାଦ୍ୟ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ବଡ଼ ପ୍ରଶ୍ନ ହେଉଛି, ଜଙ୍ଗଲ ଭିତରେ ଏଭଳି ଅସୁରକ୍ଷିତ ଜୀବନ ଆଉ କେତେ ଦିନ? ଏହି ମା’ ଓ ଶିଶୁଙ୍କୁ କେବେ ମିଳିବ ସୁରକ୍ଷିତ ଆଶ୍ରୟ? ବିକାଶର ଦାବି ଭିତରେ ଏହି ଅସହାୟ ପରିବାର ପାଖରେ କେବେ ପହଞ୍ଚିବ ପ୍ରଶାସନ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ।
