Electricity Cut-ବକେୟା ବିଲ୍ ପୈଠ ନହେବାରୁ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ
ବକେୟା ବିଲ୍ ପୈଠ ହୋଇନଥିବାରୁ ଏକାଧିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କାଟିଦେଇଛି ବିଦ୍ୟୁତ ବିଭାଗ। ଅତ୍ୟଧିକ ଗୁଳୁଗୁଳି ମଧ୍ୟରେ ବିଦ୍ୟୁତ ନଥିବାରୁ ପାଠପଢ଼ା ହେଉଛି ପ୍ରଭାବିତ। ଏପରିକି ପିଇବା ପାଣି ପାଇଁ ମଧ୍ୟ ଛାତ୍ରଛାତ୍ରୀ ହେଉଛନ୍ତି ହନ୍ତସନ୍ତ। କେବେ ଫେରିବ ବିଦ୍ୟୁତ ସେବା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଗୋଟିଏ ପଟେ ବକେୟା ବିଦ୍ୟୁତ ବିଲ୍ ଥିଲେ ମଧ୍ୟ ସ୍କୁଲ୍ର ବିଦ୍ୟୁତ ବିଛିନ୍ନ କରାଯିବ ନାହିଁ ବୋଲି ମନ୍ତ୍ରୀ କହୁଛନ୍ତି। ହେଲେ ଆନନ୍ଦପୁରରେ ସ୍ଥିତି ଏହାର ବିପରୀତ। ବକେୟା ବିଲ୍ ପୈଠ ହୋଇନଥିବାରୁ ଏକାଧିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କାଟିଦେଇଛି ବିଦ୍ୟୁତ ବିଭାଗ। ଅତ୍ୟଧିକ ଗୁଳୁଗୁଳି ମଧ୍ୟରେ ବିଦ୍ୟୁତ ନଥିବାରୁ ପାଠପଢ଼ା ହେଉଛି ପ୍ରଭାବିତ। ଏପରିକି ପିଇବା ପାଣି ପାଇଁ ମଧ୍ୟ ଛାତ୍ରଛାତ୍ରୀ ହେଉଛନ୍ତି ହନ୍ତସନ୍ତ। କେବେ ଫେରିବ ବିଦ୍ୟୁତ ସେବା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଖାତା ଧରି କିଏ ବିଞ୍ଚି ହେଉଛି, ତ ଆଉ କିଏ ଗରମରୁ ରକ୍ଷା ପାଇବାକୁ କ୍ଲାସରୁମ୍ ଛାଡ଼ି ବାହାରକୁ ଧାଇଁ ଯାଉଛି। ଅବସ୍ଥା ଏମିତି ଯେ କେଉଁଠି ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢ଼ା, ତ ଆଉ କେଉଁଠି ଏକାଠି ହୋଇ ଘରକୁ ଯିବାକୁ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରୁଛନ୍ତି ଛାତ୍ରଛାତ୍ରୀ। ସବୁର କାରଣ—ବିଦ୍ୟାଳୟରେ ନାହିଁ ବିଦ୍ୟୁତ। ଦୀର୍ଘ ଦୁଇ ବର୍ଷ ଧରି ବ୍ଲକ୍ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟଗୁଡ଼ିକର ବିଦ୍ୟୁତ ବକେୟା ପୈଠ ହୋଇନଥିବାରୁ ଏହି ସମସ୍ୟା ଦେଖାଦେଇଛି। ଆନନ୍ଦପୁର ଉପଖଣ୍ଡର ୬୨ଟି ବିଦ୍ୟାଳୟର ୭୫ ଲକ୍ଷରୁ ଅଧିକ ଟଙ୍କା ବକେୟା ଥିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ନିୟମ ଅନୁଯାୟୀ ପ୍ରଧାନ ଶିକ୍ଷକ ମାନେ ପ୍ରତିମାସ ବିଦ୍ୟୁତ ବିଲ୍ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇଥାନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଲ୍ ପୈଠ ହେବା କଥା। ହେଲେ ଦୀର୍ଘ ଦୁଇ ବର୍ଷ ହେବ ସରକାରୀ ଅନୁଦାନ ଆସୁନଥିବାରୁ ବିଲ୍ ପୈଠ ହୋଇପାରିନଥିବା ଅଭିଯୋଗ ହୋଇଛି। କେବଳ ବିଦ୍ୟାଳୟ ନୁହେଁ, ହାଟଡିହି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାଟ୍କୋ କାର୍ଯ୍ୟାଳୟର ମଧ୍ୟ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି। ବିଦ୍ୟୁତ ନଥିବାରୁ ଶିକ୍ଷାଦାନ ଏକପ୍ରକାର ପ୍ରଭାବିତ ହୋଇଛି। କେବେ ଏହାର ସମାଧାନ ହେବ ଏବଂ କେବେ ବିଦ୍ୟୁତ ସେବା ଫେରିବ, ତାକୁ ନେଇ ଅପେକ୍ଷାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ। ଅନ୍ୟପଟେ ଘଟଣା ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି, ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇଦେବା ସହ ବକେୟା ଅର୍ଥ ପରିଶୋଧ ପାଇଁ ପ୍ରୟାସ କରାଯିବ। ବିଦ୍ୟୁତ ନଥିବାରୁ ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଏକପ୍ରକାର ପ୍ରଭାବିତ ହୋଇଛି। ଗରମ ଓ ପିଇବା ପାଣିର ସମସ୍ୟା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଛି। ତେଣୁ ତୁରନ୍ତ ପ୍ରଶାସନିକ ସ୍ତରରେ ସମାଧାନ କରାଯାଇ ବିଦ୍ୟାଳୟଗୁଡ଼ିକୁ ବିଦ୍ୟୁତ ସେବା ଯୋଗାଇଦେବାକୁ ଦାବି ହେଉଛି।
