Durga Puja: ଷଷ୍ଠୀରେ ଚଳଚଞ୍ଚଳ ଦେବୀପୀଠ, ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ନବରାତ୍ର ଷଷ୍ଠୀରେ ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ। କଟକରେ ଗାୟତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ। ଦେବୀପୀଠରେ ଭକ୍ତଙ୍କ ଭିଡ଼।
ଯାଜପୁର/କଟକ: ପାର୍ବଣ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଦେବୀପୀଠ। ପବିତ୍ର ନବରାତ୍ରର ଷଷ୍ଠୀ ତିଥିରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମୁଛି। ମା’ଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ମହାପଞ୍ଚମୀ ଅବସରରେ ମା’ ବିରଜାଙ୍କ ସୁନାବେଶ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏବେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଜାରି ରହିଛି। ପ୍ରତିପଦାଠାରୁ ଆରମ୍ଭ ହୋଇଛି ମା’ଙ୍କ ନବଦିବସୀୟ ରଥଯାତ୍ରା। ଷଷ୍ଠୀ ଅବସରରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୂଢ଼ କରାଯାଇ ରଥ ଟଣାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
ସେପଟେ କଟକ ସହରର ବିଭିନ୍ନ ଦେବୀପୀଠରେ ମଧ୍ୟ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। ନବରାତ୍ରର ଷଷ୍ଠୀ ତିଥିରେ କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଦର୍ଶନ ଦେଉଛନ୍ତି। ସେହିପରି ମା’ ଗଡ଼ଚଣ୍ଡୀ ମଧ୍ୟ ଗାୟତ୍ରୀ ବେଶରେ ସଜ୍ଜିତ ହୋଇଛନ୍ତି। ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଉଭୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ନବରାତ୍ରର ପ୍ରତିଟି ତିଥିରେ ମା’ଙ୍କ ଭିନ୍ନ ଭିନ୍ନ ବେଶ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ଭରିଦେଉଛି। ଯାଜପୁରରୁ କଟକ ପର୍ଯ୍ୟନ୍ତ ବିଭିନ୍ନ ଶକ୍ତିପୀଠରେ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି ଶ୍ରଦ୍ଧାଳୁ।
