Drishyam : ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’କୁ ନେଇ ବଢ଼ିଲା କ୍ରେଜ୍
ପୁଣି ଫେରୁଛି ‘ଦୃଶ୍ୟମ’ର କାହାଣୀ… ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ବିଜୟ ସାଲଗାଓଁକର । ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା ଜୋରଦାର ।

ଭୁବନେଶ୍ବର: ବଲିଉଡ୍ର ଲୋକପ୍ରିୟ ଫ୍ରାଞ୍ଚାଇଜି ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ବଢ଼ିଛି କ୍ରେଜ୍। ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଛି ଆଡଭାନ୍ସ ବୁକିଂ, ଆଉ ପ୍ରି-ସେଲ୍ସରେ ମଧ୍ୟ ଦେଖିବାକୁ ମିଳୁଛି ଭଲ ରେସପନ୍ସ। ଅଭିଷେକ ପାଠକଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫ୍ୟାମିଲି ଥ୍ରିଲର୍ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ରିଲିଜ୍ର ପ୍ରାୟ ୬ ଦିନ ପୂର୍ବରୁ ବୁକିଂ ଖୋଲିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’ ହେଉଛି ଏହି ଫ୍ରାଞ୍ଚାଇଜିର ତୃତୀୟ ଭାଗ। ଦ୍ୱିତୀୟ ଭାଗ ଯେଉଁଠାରେ ଶେଷ ହୋଇଥିଲା, ତୃତୀୟ ଭାଗର କାହାଣୀ ସେଠାରୁ ଆଗକୁ ବଢ଼ିବ ବୋଲି କୁହାଯାଉଛି। ‘ଦୃଶ୍ୟମ 3’ ର ରହସ୍ୟ, ରୋମାଞ୍ଚ ଆଉ ବିଜୟ ସାଲଗାଓଁକରଙ୍କ ନୂଆ ଚାଲ୍ କୁ ନେଇ ଦର୍ଶକଙ୍କ ଉତ୍ସାହ ରହିଛି । ଏହି ଫିଲ୍ମରେ ଅଜୟ ଦେବଗନ, ତବୁ, ଶ୍ରିୟା ସରନ ଓ ଇଶିତା ଦତ୍ତାଙ୍କ ସହ ଏଥର ଷ୍ଟାରକାଷ୍ଟରେ ଯୋଡ଼ି ହୋଇଛନ୍ତି ଜୟଦୀପ ଅହଲାୱତ ଓ ପ୍ରକାଶ ରାଜ। ସୂଚନା ଅନୁସାରେ, ହିନ୍ଦୀ ଭର୍ସନ୍ର କାହାଣୀ ମୋହନଲାଲଙ୍କ ମଲୟାଲମ୍ ଭର୍ସନ୍ଠାରୁ ଅଲଗା ରହିବ।
ଦୃଶ୍ୟମ ଫ୍ରାଞ୍ଚାଇଜ୍ର ପୂର୍ବର ଦୁଇଟି ଫିଲ୍ମ ମଧ୍ୟ ସୁପରହିଟ୍ ହୋଇଥିଲା । ୨୦୧୫ରେ ଆସିଥିବା ଦୃଶ୍ୟମ ଏବଂ ୨୦୨୨ରେ ମୁକ୍ତିଲାଭ କରିଥିବା ଦୃଶ୍ୟମ ୨ ଉଭୟକୁ ଦର୍ଶକ ଓ ସମାଲୋଚକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥିଲା । ବିଶେଷକରି, ଦୃଶ୍ୟମ ୨ ଭାରତୀୟ ବକ୍ସ ଅଫିସରେ ୨୪୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା । ଏବେ ଅପେକ୍ଷା ସିନେମା ହଲ୍ରେ ରିଲିଜ୍କୁ। ଅକ୍ଟୋବର ୨ରେ ବଡ଼ ପରଦାକୁ ଆସିବ ‘ଦୃଶ୍ୟମ 3’। ଆଡଭାନ୍ସ ବୁକିଂର ଏହି ରେସପନ୍ସକୁ ଫିଲ୍ମର ରିଲିଜ୍ ପରେ ଦର୍ଶକଙ୍କ ପ୍ରତିକ୍ରିୟା କେତେ ଦୂର ଆଗକୁ ନେଉଛି, ଏବେ ରହିଛି ସେହି ଅପେକ୍ଷା।
