Dharmendra Lives in Her Memories : ଧର୍ମେନ୍ଦ୍ରଙ୍କ ସ୍ମୃତିରେ କାନ୍ଦିଲେ ହେମା ମାଳିନୀ
ଧର୍ମେନ୍ଦ୍ରଙ୍କ ସ୍ମୃତିରେ ଭାବପ୍ରବଣ ହେଲେ ହେମା ମାଳିନୀ, ପୁରୁଣା ଫଟୋ ଦେଖି ଛଳଛଳ ପ୍ରଶଂସକଙ୍କ ଆଖି |

ବଲିଉଡ୍ର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ବିୟୋଗରେ କେବଳ ତାଙ୍କ ପ୍ରଶଂସକ ନୁହନ୍ତି, ପରିବାର ସଦସ୍ୟମାନେ ମଧ୍ୟ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ମନେ ପକାଇ ଆଜି ବି ଭାବବିହ୍ୱଳ ହୋଇପଡ଼ୁଛନ୍ତି ପୁଅ ସନ୍ନି ଦେଓଲ ଓ ବବି ଦେଓଲ। ସେହିପରି ଅଭିନେତାଙ୍କ ପତ୍ନୀ ହେମା ମାଳିନୀ ମଧ୍ୟ ଅନେକ ସମୟରେ ଧର୍ମେନ୍ଦ୍ରଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ମନେ ପକାଇ ଭାବପ୍ରବଣ ହୋଇଯାଉଛନ୍ତି।
ଧର୍ମେନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ହେମା ମାଳିନୀ ନିଜ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ସହ ବିତାଇଥିବା କିଛି ପୁରୁଣା ଓ ସ୍ମରଣୀୟ ମୁହୂର୍ତ୍ତର ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକ ସହ ସେ ଲେଖିଥିବା ଭାବପୂର୍ଣ୍ଣ କ୍ୟାପ୍ସନ୍ ପ୍ରଶଂସକଙ୍କ ମନକୁ ମଧ୍ୟ ଛୁଇଁଥିଲା।ସେୟାର କରିଥିବା ଫଟୋଗୁଡ଼ିକ ମଧ୍ୟରୁ ପ୍ରଥମ ଫଟୋରେ ଧର୍ମେନ୍ଦ୍ର ଓ ହେମା ମାଳିନୀ ନିଜ ପୋଷା କୁକୁର ସହ ଠିଆ ହୋଇଥିବା ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ଧର୍ମେନ୍ଦ୍ର ଅତି ସ୍ନେହର ସହ ହେମାଙ୍କ ହାତ ଧରିଥିବା ବେଳେ ଅନ୍ୟ ଏକ ଫଟୋରେ ଉଭୟେ ମୋବାଇଲ୍ରେ କିଛି ଦେଖି ହସୁଥିବା ଦେଖିବାକୁ ମିଳିଛି।
ଏହି ସବୁ ଫଟୋରେ ଦୁହିଁଙ୍କ ମଧ୍ୟରେ ଥିବା ସ୍ନେହ ଓ ଭଲପାଇବାର ଝଲକ ସ୍ପଷ୍ଟ ବାରି ହୋଇପଡ଼ୁଛି। ହେମା ମାଳିନୀଙ୍କ ଏହି ସ୍ମୃତିଭରା ପୋଷ୍ଟ ଦେଖି ପ୍ରଶଂସକମାନେ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଧର୍ମେନ୍ଦ୍ର ଆଜି ତାଙ୍କ ଗହଣରେ ନଥିଲେ ମଧ୍ୟ ତାଙ୍କ ସ୍ମୃତି ସବୁବେଳେ ପରିବାର ଓ ପ୍ରଶଂସକଙ୍କ ହୃଦୟରେ ଜୀବିତ ରହିବ।
