Domestic Violence Case:ପୁଅର ଭୁଲ୍ ପାଇଁ ବାପା ଦାୟୀ ନୁହନ୍ତି:ଦିଲ୍ଲୀ ହାଇକୋର୍ଟ
ଘରୋଇ ହିଂସା ଆଇନ ଅଧୀନରେ ଦାୟର ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଜଣେ ସବାଳକ ପୁଅର ଆଚରଣ ଉପରେ ପିତାଙ୍କର କୌଣସି ଆଇନଗତ ନିୟନ୍ତ୍ରଣ ନଥାଏ, ତେଣୁ ଏଥିପାଇଁ ବାପାଙ୍କୁ କାଠଗଡ଼ାକୁ ଟଣାଯାଇପାରିବନି।
ଦିଲ୍ଲୀ:ବିବାହିତ ପୁଅର ବ୍ୟକ୍ତିଗତ ଜୀବନ କିମ୍ବା ଆଚରଣ ପାଇଁ ତାଙ୍କ ବୃଦ୍ଧ ପିତାଙ୍କୁ ଆଇନଗତ ଭାବେ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ଅମିତ ମହାଜନଙ୍କ ଖଣ୍ଡପୀଠ ଜଣେ ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରି ଏହି ରାୟ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ମହିଳାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ସ୍ୱାମୀଙ୍କର ଏହି ଆଚରଣକୁ ଶ୍ୱଶୁର ରୋକିବାରେ ବିଫଳ ହୋଇଥିବାରୁ, ମହିଳା ଜଣକ ନିଜ ଶ୍ୱଶୁରଙ୍କ ବିରୋଧରେ ଘରୋଇ ହିଂସା ଆଇନ (DV Act) ର ଧାରା ୩ ଅନୁସାରେ ନିର୍ଯାତନା ମାମଲା ଚଲାଇବାକୁ ଦାବି କରିଥିଲେ।ପୂର୍ବରୁ ମାଜିଷ୍ଟ୍ରେଟ୍ କୋର୍ଟ ଏବଂ ସେସନ୍ସ କୋର୍ଟ ମଧ୍ୟ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଆସିଥିବା ଅଭିଯୋଗର ଶୁଣାଣି କରିବାକୁ ମନା କରିଥିଲେ, ଯାହାକୁ ଏବେହାଇକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି । ତେବେ ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ଆଇନରେ ମୌଖିକ, ଭାବନାତ୍ମକ କିମ୍ବା ଆର୍ଥିକ ନିର୍ଯାତନାକୁ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ କେବଳ ପରିବାରର ସଦସ୍ୟ ହୋଇଥିବା କାରଣରୁ କାହା ବିରୋଧରେ ମାମଲା ରୁଜୁ କରାଯାଇପାରିବନାହିଁ ।
ଅଦାଲତଙ୍କ ଅନୁସାରେ, ସ୍ୱାମୀଙ୍କ ଆଚରଣରେ ଶ୍ୱଶୁରଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇନାହିଁ। ଜଣେ ବାପା ନିଜର ସବାଳକ ପୁଅର ଆଚରଣ ବା ଜୀବନଶୈଳୀକୁ ଆଇନଗତ ଭାବେ ନିୟନ୍ତ୍ରଣ କରିପାରିବେ ନାହିଁ। ଏହା ସହିତ କୋର୍ଟ କହିଛନ୍ତି ଯେ ଅଭିଯୋଗରେ କେବଳ 'ଗାଳିଗୁଲଜ କଲେ' କିମ୍ବା 'ଅପମାନ ଦେଲେ' ଭଳି ସାଧାରଣ ଶବ୍ଦ ଲେଖିଦେଲେ ନିର୍ଯାତନା ପ୍ରମାଣିତ ହୁଏନାହିଁ, ଏଥିପାଇଁ ଘଟଣାର ନିର୍ଦ୍ଦିଷ୍ଟ ତଥ୍ୟ ରହିବା ଆବଶ୍ୟକ। କୌଣସି ନିଦ୍ଧିଷ୍ଟ ପ୍ରମାଣ ନଥିବାରୁ ହାଇକୋର୍ଟ ବୃଦ୍ଧ ଶ୍ୱଶୁରଙ୍କୁ ଏହି ମାମଲାରୁ ମୁକ୍ତ କରି ମହିଳାଙ୍କ ଆବେଦନ ଖାରଜ କରିଛି |
