Dispute among faculty:ମଙ୍ଗଳା ମହାବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିବାଦ
କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ବିବାଦ। ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁନୀଲ ନାୟକଙ୍କ ବିରୋଧରେ ମହିଳା ଅଧ୍ୟାପିକା ପ୍ରତିଭା ସେଠୀ ଆଣିଛନ୍ତି ଅଭିଯୋଗ। ନିୟମିତ କ୍ଲାସ୍ ନକରିବା, ଅଧ୍ୟାପିକାଙ୍କୁ ଗାଳିଗୁଲଜ କରିବା ଏବଂ କଲେଜ ପରିସରରେ ପାନ ଖାଇ ଟହଲ ମାରିବା ଭଳି ଅଭିଯୋଗ ଆସିଛି। ଅନ୍ୟପଟେ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ପାଲଟା ଅଭିଯୋଗ ଆଣିଛନ୍ତି HOD। ଘଟଣା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ ହୋଇଥିବା ବେଳେ, ନ୍ୟାୟ ନମିଳିଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଅଧ୍ୟାପିକା।
କାକଟପୁର:କାକଟପୁରର ମଙ୍ଗଳା ମହାବିଦ୍ୟାଳୟ। ଆଜି ସକାଳେ ଏଠାରେ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ ବିବାଦକୁ ନେଇ ଉତ୍ତେଜନାର ସୂତ୍ରପାତ ହୋଇଥିଲା।ମହିଳା ଅଧ୍ୟାପିକା ପ୍ରତିଭା ସେଠୀଙ୍କ ଅଭିଯୋଗ ଅନୁସାରେ, HOD ସୁନୀଲ ନାୟକ ନିୟମିତ କ୍ଲାସ୍ କରୁନାହାନ୍ତି। ଏପରିକି ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର କରୁନଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ଆହୁରି ରହିଛି ଯେ, ପ୍ରତିଭା ସେଠୀ ଛାତ୍ରଛାତ୍ରୀଙ୍କୁ ଡାକି କ୍ଲାସ୍ କରାଇବା ସମୟରେ HOD ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଅଧ୍ୟାପିକାମାନଙ୍କୁ ମଧ୍ୟ ଅପମାନଜନକ ଭାଷାରେ କଥା କହୁଥିବା ଅଭିଯୋଗ ହୋଇଛି।ଏହାସହ କଲେଜ ପରିସରରେ ପାନ ଖାଇ ଛେପ ପକାଇବା ଏବଂ ଟହଲ ମାରିବା ନେଇ ମଧ୍ୟ ଅଭିଯୋଗ ଆସିଛି।ଘଟଣାକୁ ନେଇ ଆଜି ସକାଳ ପ୍ରାୟ ୧୧ଟା ସମୟରେ ପ୍ରତିଭା ସେଠୀ ୧୧୨ ନମ୍ବରକୁ ଫୋନ୍ କରି ଅଭିଯୋଗ କରିଥିବା ବେଳେ, ପରେ କାକଟପୁର ଥାନାରେ ଏତଲା ଦେବା ପାଇଁ ପହଞ୍ଚିଥିଲେ। ତେବେ ଥାନାରେ ଅନ୍ୟ ଅଧ୍ୟାପକ-ଅଧ୍ୟାପିକାମାନେ ମଧ୍ୟ ପହଞ୍ଚି ଘଟଣାର ସମାଧାନ ପାଇଁ ପ୍ରତିଭା ସେଠୀଙ୍କୁ ବୁଝାସୁଝା କରିଥିଲେ। କଲେଜ ପରିସରରେ ଆପୋଷ ବୁଝାମଣା ମାଧ୍ୟମରେ ଘଟଣାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା।ଅଭିଯୋଗକାରୀଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ HOD ସୁନୀଲ ନାୟକ ଭୁଲ ମାଗିବାର ପ୍ରତିଶୃତି ଦେବା ପରେ ଘଟଣାଟି ସାମୟିକ ଭାବେ ଶାନ୍ତ ହୋଇଥିଲା। ତେବେ ଅନ୍ୟପଟେ, HOD ସୁନୀଲ ନାୟକ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ କାଳ୍ପନିକ ଓ ଭିତ୍ତିହୀନ ବୋଲି କହିଛନ୍ତି। HOD ଆହୁରି କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସେ ଭୁଲ ମାଗିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ଏହି ବିବାଦ ମଧ୍ୟରେ ଏବେ ବଡ଼ ପ୍ରଶ୍ନ ମଙ୍ଗଳା ମହାବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ ଭାବେ ଚାଲିଛି ତ? ନା ଅଧ୍ୟାପକ-ଅଧ୍ୟାପିକାଙ୍କ ଆଭ୍ୟନ୍ତରୀଣ ବିବାଦର ପ୍ରଭାବ ପଡ଼ୁଛି ଛାତ୍ରଛାତ୍ରୀଙ୍କ ଉପରେ?
ଏହାର ସ୍ପଷ୍ଟ ଉତ୍ତର ପାଇଁ ଆବଶ୍ୟକ ହେବ ନିରପେକ୍ଷ ତଦନ୍ତ।
